
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ କାର୍ଯ୍ୟଧାରାରେ ନିର୍ବାଚନମଣ୍ଡଳୀର ଜନସାଧାରଣ ବେଶ୍ ସନ୍ତୁଷ୍ଟ ଅଛନ୍ତି । ସକାଳରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ନିଜେ ଲୋକଙ୍କ ସମସ୍ୟା ଶୁଣନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତି । ସାଂସଦ ନିର୍ବାଚିତ ହେବା ପରେ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁଖଦୁଃଖରେ ଛିଡା ହେବାକୁ ଚେଷ୍ଟା କରି ଆସୁଛନ୍ତି । ଦଳୀୟ ରାଜନୀତିର ଉର୍ଦ୍ଧ୍ବରେ ସମସ୍ତଙ୍କ ସମସ୍ୟା ଓ ଅଭିଯୋଗ ଶୁଣୁଥିବା ସାଂସଦ ଶ୍ରୀ ପୁରୋହିତ ସାମୂହିକ ସ୍ୱାର୍ଥରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ । ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଏବେ ସଫଳ ହୋଇଛି । ପୂର୍ବରୁ ପଦ୍ମପୁର ଅଞ୍ଚଳକୁ ଟ୍ରେନ୍ ଗଡିନଥିଲା । ବରଗଡର ପୂର୍ବତନ ସାଂସଦ ସୁରେଶ ପୂଜାରୀ ଏ ଦିଗରେ ଉଦ୍ୟମ ଆରମ୍ଭ କରିଥିବା ବେଳେ ବର୍ତ୍ତମାନର ସାଂସଦ ଶ୍ରୀ ପୁରୋହିତ ବାରମ୍ବାର କେନ୍ଦ୍ର ସରକାର ଓ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ବରଗଡ଼ରୁ ନୂଆପଡା ରେଳ ଚଳାଚଳ ସ୍ୱପ୍ନ ଆଉ ବେଶୀ ଦୂର ନୁହେଁ । ନୂତନ ରେଳଧାରଣା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨୦୨୯ ସୁଦ୍ଧା ପଦ୍ମପୁର ଦେଇ ରେଳ ଚଳାଚଳ ଆରମ୍ଭ ହୋଇଯିବ ବୋଲି ବିଶ୍ୱାସ ଅଛି । ଶ୍ରୀ ପୁରୋହିତ ବରଗଡ଼ ସାଂସଦ ଅଛନ୍ତି, ମାତ୍ର ସେ ପୂର୍ବରୁ ପଦ୍ମପୁର ବିଧାନସଭା କ୍ଷେତ୍ରରୁ ରାଜ୍ୟ ବିଧାନସଭାକୁ ପ୍ରତିନିଧିତ୍ୱ କରି ଶ୍ରେଷ୍ଠ ବିଧାୟକ ସମ୍ମାନ ହାସଲ କରିଥିଲେ । ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଥିବା ବେଳେ ପଦ୍ମପୁର ସମେତ ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି । ଗାଇସିଲେଟ ହସ୍ପିଟାଲରେ ସ୍ୱାସ୍ଥ୍ୟସେବାରେ ବିଶେଷ ଉନ୍ନତି ଆସିବା ପଛରେ ସାଂସଦଙ୍କ ଇଚ୍ଛାଶକ୍ତି ରହିଛି । ପଦ୍ମପୁରରେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବା ଅଞ୍ଚଳରେ ଶିକ୍ଷା ଦାନର ମାନକୁ ଉଚ୍ଚକୁ ନେଇଛି ଏବଂ ଏହା ପଛରେ ସାଂସଦ ଶ୍ରୀ ପୁରୋହିତଙ୍କ ଅବଦାନ ରହିଛି । ବର୍ତ୍ତମାନର ମୋହନ ସରକାର ଚାଷୀଙ୍କୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛନ୍ତି । ଏଥିରେ ଚାଷୀ ବେଶ୍ ଖୁସିଥିବା ବେଳେ କୃଷକ ନେତା ଶ୍ରୀ ପୁରୋହିତ ମଣ୍ଡି ପରିଦର୍ଶନ କରି ଚାଷୀ କିଭଳି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛନ୍ତି । ମଣ୍ଡିଗୁଡ଼ିକ ଏବେ ଦଲାଲରାଜରୁ ମୁକ୍ତ ହୋଇଛି । ପ୍ରକୃତ ଚାଷୀ ଏବେ ନିଜ ଉତ୍ପାଦିତ ଧାନ ବିକ୍ରି କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉ ନାହିଁ । ଗନ୍ଧମାର୍ଦ୍ଦନର ସୁରକ୍ଷା ସମ୍ପର୍କରେ ବର୍ତ୍ତମାନ ବିରୋଧୀ ରାଜନୈତିକ ଦଳ ଲୋକଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ପ୍ରଦୀପ ପୁରୋହିତଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ପରିଚୟ ଦେଇଛି । ସେ ଗନ୍ଧମାର୍ଦ୍ଦନ ସହ ଏହାର ଜୈବ ବିବିଧତା ଓ ଔଷଧୀୟ ଗୁଳ୍ମରାଜି ସୁରକ୍ଷା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରି ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ନିଜ ଆନ୍ତରିକତାର ପ୍ରମାଣ ଦେଇଛନ୍ତି ।