
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : କୃଷକମାନଙ୍କ ହକ ପାଇଁ କୃଷକ ସମାବେଶ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀସ୍ତରୀୟ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ଗଠନ ହୋଇଛି ଚାଷୀ ସଂଗଠନ । ଚାଷୀକୁ ସବୁବେଳେ ଓ ସବୁସମୟରେ ହଇରାଣ ହେବାକୁ ପଡୁଛି । ମଣ୍ଡିରେ କଟନୀ, ଚଢା ଦରରେ ସାର ବିକ୍ରି, ଚାଷୀଙ୍କୁ ମିଳୁନି ବିହନ, ଟୋକନ ପାଇଥିଲେ ବି ବିକ୍ରି ହୋଇନପାରି ମାସ ମାସ ଧରି ମଣ୍ଡିରେ ପଡିରହୁଛି ଧାନ । ଏପରିକି ମଣ୍ଡିରେ ମିଲର ରାଜ ବାରମ୍ବାର ଦେଖିବାକୁ ମିଳିଛି । ସବୁ ସମୟରେ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯାହା ଫଳରେ ଅଞ୍ଚଳର ବରିଷ୍ଠ ସମାଜସେବୀ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡାର ଅଗ୍ରେସନ ଭବନ ଠାରେ ଏକ ଚାଷୀ ସଂଗଠନ ଗଠନ କରି ଚାଷୀଙ୍କ ହକ ଲାଗି ଆଗାମୀ ଦିନରେ ଲଢେଇ କରିବେ ବୋଲି ଆଲୋଚନା ହୋଇଥିଲା । ଏଥିରେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା, ତୁରେକେଲା ଓ ମୁରିବାହାଲ ଅଞ୍ଚଳର ଶତାଧିକ ଚାଷୀମାନେ ସାମିଲ ହୋଇଥିବା ନେଇ ଦେଖିବାକୁ ମିଳିଛି ।

