
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ସ୍ୱତନ୍ତ୍ର ସାହିତ୍ୟ ଆସର, କବିତା ପାଠ ଓ ସିଧା କଥା ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ, ସାଂସ୍କୃତିକ ସମ୍ପାଦିକା କବିତା ଦାଶଙ୍କ ସଂଯୋଜନାରେରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଧା କଥାରେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ସନାତନ ପ୍ରଧାନ ପ୍ରାକୃତିକ ବିପର୍ଯ୍ୟୟ ଓ ପରିବେଶ ନୈତିକତା ଉପରେ ଆଲୋଚନା କରିଥିଲେ । ତାଙ୍କ ସହ କଥା ହୋଇଥିଲେ ଇଂ ସୁବାସ ମହାପାତ୍ର। ଡ. ପ୍ରଧାନ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ପ୍ରକୃତି ହେଉଛି ଆମର ଦେବତା, ତେଣୁ ଏହାକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ଵ । ଏହା ସହ ଆଦି ଦୈବିକ, ଆଦି ଭୌତିକ, ଆଦି ଆଧ୍ୟାତ୍ମିକ ସମ୍ପର୍କରେ ଆଲୋଚନା କରିବା ସହ ଭାରତୀୟ ସଂସ୍କୃତି ସହ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବିଶିଷ୍ଟ ଶଲ୍ୟ ଚିକିତ୍ସିକ ଡାକ୍ତର ଗୋକୁଳାନନ୍ଦ ସାହୁ ରୋଗ ନିରାକରଣରେ ମନୋବଳ ଓ ସକରାତ୍ମକ ଚିନ୍ତା ଉପରେ ଆଲୋଚନା କରିଥିଲେ । ତାଙ୍କ ସହ ସିଧା କଥା ହୋଇଥିଲେ ଗୀତାରାଣୀ ବେହେରା । ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି ଡାକ୍ତର ସାହୁ କହିଲେ ଯେ, ଚିକିତ୍ସା ବିଜ୍ଞାନ ସମ୍ପୂର୍ଣ୍ଣ ବିଜ୍ଞାନ ନୁହେଁ । ଚିକିତ୍ସା ପାଉଥିବା ବ୍ୟକ୍ତି ପାଖରେ ଦୃଢ ମନୋବଳ, ଧନବଳ, ଜନବଳ ଓ ଜ୍ଞାନବଳ ରହିବା ସହ ସକରାତ୍ମକ ମନୋଭାବ ରହିବା ଆବଶ୍ୟକ । ଇଶ୍ଵର ବିଶ୍ଵାସ ଓ ମାନସିକ ଦୃଢତା ହିଁ ରୋଗ ନିରାକରଣରେ ସହାୟକ ହୁଏ । ଅନ୍ୟତମ ଆଲୋଚକ ପ୍ରାକ୍ତନ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ଓଡିଆ ଭାଷା ଓ ଓଡ଼ିଆ ଅସ୍ମିତା, ଆମର ଦାୟିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହ ସିଧା କଥା ହୋଇଥିଲେ ସୁସ୍ମିତା ମହାପାତ୍ର । ଡ. ରାୟ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ଜଗନ୍ନାଥ ଦାସ, ମଧୁବାବୁ, ସାରଳା ଦାସ, କପିଳେନ୍ଦ୍ର ଦେବ ପ୍ରମୁଖ ଆମ ଅସ୍ମିତାର ପରିଚୟ । ହୀନମନ୍ୟତା ପାଇଁ ଭାଷା ମରିଯାଏ, ଭାଷାହୀନ ପ୍ରାଣୀ ମୃତ ସମାନ । ସରକାରୀ ସ୍ତରରେ ଓଡ଼ିଆ ଭାଷା ବଞ୍ଚିପାରିବନି, ଆମେ ବିଶେଷତ ମା’ମାନେ ଭାଷା ମାରିବାରେ ଦାୟୀ । ନିଜ ଭିତରେ ଅହଂ ପଣିଆ ରହିଲେ ଭାଷା ବଂଚିବ । ପ୍ରତ୍ୟେକ ଆଲୋଚନା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଡା. କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ରଶ୍ମିବାଳା ରାଉତରାୟ, ଡା. ଗୀତାଞ୍ଜଳି ପତ୍ରି, ରଶ୍ମି ସାହୁ, ସଞ୍ଜୀବ କୁମାର ଭୋଇ, ସୁନିତା ସାହୁ, ସୁଶ୍ରୀ ଗାୟତ୍ରୀ ସେଠୀ, ଗଦାଧର ରଥ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ପ୍ରିୟା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲାବେଳେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ ଯୋଗଦେଇଥିଲେ ।