
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚର ମାସିକ ସାହିତ୍ୟ ଆସର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟଅତିଥି ଭାବେ ଡା. କୃପାସିନ୍ଧୁ ନାୟକ, ଆଲୋଚକ ଭାବେ ଗଗନ ବିହାରୀ ଧଳ ଯୋଗଦେଇଥିଲା ବେଳେ ବଳରାମ ରାଉଳ ସଭାପତିତ୍ୱ କରିଥିଲେ । ଆଲୋଚକ ଶ୍ରୀ ଧଳ ଇତିହାସ ପୁନର୍ଲିଖନ ବିଷୟରେ ଆଲୋଚନା କରି କହିଲେ ଯେ, ବୈଜ୍ଞାନିକ ଓ ଯୁକ୍ତିସଙ୍ଗତ ଆଲୋଚନା କରିବାକୁ ହେଲେ ପ୍ରଥମେ ଆମକୁ ଇତିହାସ କ’ଣ ତାହା ବୁଝିବାକୁ ପଡ଼ିବ । ଇତିହାସ କେବଳ ଅତୀତର କାହାଣୀ ନୁହେଁ । ଏହା ପ୍ରମାଣ ଉପରେ ଆଧାରିତ ବିଜ୍ଞାନ । ପ୍ରତ୍ନତତ୍ତ୍ୱ, ଶିଳାଲେଖ, ମୁଦ୍ରା, ସାହିତ୍ୟ, ବିଦେଶୀ ପର୍ଯ୍ୟଟକଙ୍କ ବିବରଣୀ, ଡିଏନ୍ଏ ଅଧ୍ୟୟନ ଭଳି ବହୁ ଉତ୍ସରୁ ତଥ୍ୟ ସଂଗ୍ରହ କରି ଇତିହାସ ଲେଖାଯାଏ । ତେଣୁ ଯେକୌଣସି ପୁନର୍ଲିଖନ ଦାବି କଲେ ତାହା ଭାବାବେଗ ନୁହେଁ, ପ୍ରମାଣ ଦ୍ୱାରା ପରୀକ୍ଷିତ ହେବା ଉଚିତ । ମୁଖ୍ୟଅତିଥି ଡା. ନାୟକ ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଜୀବନାଦର୍ଶ ସମ୍ପର୍କରେ ଅଧିକ ଆଲୋଚନା ଓ ଲିଖନ ସମ୍ପର୍କରେ ଗୁରୁତ୍ୱାରୋପ ସହ ଏକ କବିତା ପାଠ କରିଥିଲେ । ପରେ ଗୌତମ ଦାସ ବିଚାର ନାମରେ ଏକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନା କରିଥିବା ବେଳେ ପ୍ରତାପ ପଣ୍ଡା, ହୃଦାନନ୍ଦ ପଟେଲ, କୁଞ୍ଜବିହାରୀ ରାଉତ, ସଞ୍ଜୀବ କୁମାର ଭୋଇ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ, ପରେଶ ବିଶ୍ୱାଳ, ଗୀତାରାଣୀ ବେହେରା, ଅଶୋକ ପଟ୍ଟନାୟକ, ଆଲୋକ ବୋଷ, ଅକ୍ଷୟ ସାମଲ, ବଳରାମ ରାଉଳ, କାଶୀନାଥ ପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ. ବସନ୍ତ କୁମାର ଦାସ, ପୀତବାସ ପ୍ରଧାନ, ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ, ଡ. ସୁମନ ଦତ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ବସନ୍ତ ନାୟକ, ସୁକାନ୍ତ ମହାପାତ୍ର, ପର୍ଶୁରାମ ପଟ୍ଟନାୟକ, ନଗେନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରତାପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।