କଳାକାରମାନଙ୍କ ସହାୟତା ରାଶିରେ ବୃଦ୍ଧି

  • କଳାକାରମାନେ ପାଇବେ ମାସକୁ ୨୦୦୦ ଟଙ୍କା ସହାୟତା, ୮୦ ବର୍ଷରୁ ଅଧିକ ହୋଇଥିଲେ ମାସକୁ ୨୫୦୦
  • ଉପକୃତ ହେବେ ୮୦ ହଜାର କଳାକାର
  • ଚଳିତ ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ସହାୟତା
  • ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଆସିଥିଲା ଅନୁରୋଧ ଓ ପ୍ରସ୍ତାବ

ଭୁବନେଶ୍ଵର : ଆମର ଲୋକକଳା ଆମର ଅସ୍ମିତା ଏବଂ କଳାକାରମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କଳାକାରମାନଙ୍କ ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାରମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ । ୮୦ ବର୍ଷରୁ ଉର୍ଦ୍ଧ୍ବ କଳାକାର ମାସକୁ ୨୫୦୦ ଟଙ୍କା ସହାୟତା ପାଇବେ । ଏହାଦ୍ୱାରା ରାଜ୍ୟର ୮୦ ହଜାର କଳାକାର ଉପକାର ପାଇବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ କରିଥିଲେ ଏବଂ ସେମାନଙ୍କର ସଂଗଠନମାନେ ଦାବି ଉପସ୍ଥାପନ କରିଥିଲେ । ଏହା ବ୍ୟତୀତ ଲୋକସେବା ଭବନର କନ୍‌ଭେନ୍‌ସନ୍‌ କେନ୍ଦ୍ରରେ ୫ଟି ଅଧ୍ୟକ୍ଷଙ୍କ ସହିତ ଯୋଗାଯୋଗ ସମୟରେ କଳାକାରମାନେ ସହାୟତା ରାଶି ବୃଦ୍ଧି ନିମିତ୍ତ ଅନୁରୋଧ ମଧ୍ୟ କରିଥିଲେ । ପୂର୍ବରୁ ଏହି ଯୋଜନାର ୫୦,୦୦୦ କଳାକାରମାନଙ୍କୁ ମାସିକ ଟ୧୨୦୦/-ଙ୍କା(ବାରଶହ) ଆଧାରରେ ସହାୟତା ରାଶି ପ୍ରଦାନ କରାଯାଉଥିଲା । ମାତ୍ର ବର୍ତ୍ତମାନ ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ୮୦,୦୦୦କୁ ବୃଦ୍ଧି କରାଯାଇଅଛି ଯାହାଦ୍ୱାରା ଆହୁରି ରାଜ୍ୟର ୩୦,୦୦୦ କଳାକାର ଏଥିରେ ଉପକୃତ ହୋଇପାରିବେ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ନିୟମାବଳୀର ନିୟମ ୪, ଉପ ନିୟମ (ସସ)ରେ ଉଲ୍ଲେଖଥିବା କଳାକାରମାନଙ୍କର ବାର୍ଷିକ ଆୟର ସୀମାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନିର୍ବିଶେଷରେ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି । ୮୦ ବର୍ଷ ପର୍ଯ୍ୟନ୍ତ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୦୦୦/-ଙ୍କା (ଦୁଇ ହଜାର ଟଙ୍କା)କୁ ଓ ଅଶି ବର୍ଷରୁ ଊର୍ଦ୍ଧ୍ଵ କଳାକାରମାନଙ୍କର କଳାକାର ସହାୟତା ରାଶି ଟ୧୨୦୦/-ଙ୍କା (ବାରଶହ ଟଙ୍କା)ରୁ ଟ୨୫୦୦/-ଙ୍କା (ଦୁଇ ହଜାର ପାଞ୍ଚଶହ ଟଙ୍କା)କୁ ବୃଦ୍ଧି କରାଯାଇଅଛି । ଉକ୍ତ ବର୍ଦ୍ଧିତ ସହାୟତା ରାଶି ଚଳିତ ଫେବୃଆରୀ ମାସରୁ ଲାଗୁ କରାଯିବ ଏବଂ ଡିବିଟି ମାଧ୍ୟମରେ ଫେବୃଆରୀ ମାସ ୨୦ତାରିଖରୁ ୨୫ତାରିଖ ମଧ୍ୟରେ ପ୍ରଦାନ କରାଯିବ । ଏହି ଯୋଜନାରେ ସହାୟତା ରାଶି ବୃଦ୍ଧି ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଏହା ଋଦ୍ଧିମନ୍ତ କରିବ ।

Leave A Reply

Your email address will not be published.

ten + six =