ବଜାର ଟିକସ ଆଦାୟ ହେଉଛି , କିନ୍ତୁ ଯାଉଛି କୁଆଡେ : ସାଧାରଣରେ ପ୍ର‌ଶ୍ନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ହେଉଛି ବଲାଙ୍ଗିର ଜିଲ୍ଲାର ଏକ ମୁଖ୍ୟ ସହର । ଟିଟିଲାଗଡ ହାଟପଦାପଡାରେ ନିତିଦିନିଆ ବଜାର ବସିବା ସହ ସପ୍ତାହକୁ ଦୁଇ ଦିନ ବୁଧବାର ଓ ଶନିବାର ସାପ୍ତାହିକ ହାଟ ବସେ । ଏଠାରେ ଟିଟିଲାଗଡ ତଥା ପାଖଆଖ ଅଞ୍ଚଳର ଚାଷୀ ନିର୍ଭର କରନ୍ତି । ଟିଟିଲାଗଡକୁ ଗମନାଗମନର ସମସ୍ତ ସୁବିଧା ରହିଛି । ଏଣୁ ବେଳେ ବେଳେ ପଡୋଶୀ ଜିଲ୍ଲାର ଚାଷୀ ଆସି ଏଠାରେ ପନିପରିବା ବିକ୍ରି କରନ୍ତି । ଏପରିକି ପଡୋଶୀ ରାଜ୍ୟ ଛତିଶଗଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଲୋକମାନେ ଆସି ଏଠାରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳେ । ତେଣୁ ଟିଟିଲାଗଡ ମ୍ୟୁନିସିପାଲଟି ତରଫରୁ ବଜାରର ଉନ୍ନତିକରଣ ପାଇଁ ବଜାର ଟିକସ ଆଦାୟ କରାଯାଏ । ସାଧାରଣ ଦିନମାନଙ୍କରେ ଟିଟିଲାଗଡ ମ୍ୟୁନିସିପାଲଟିକୁ ବଜାର ଟିକସ ନାମରେ ପ୍ରତି ବେପାରୀ ମୁଣ୍ଡ ପିଛା ୫ ଟଙ୍କା ଦିଅନ୍ତି ଓ ସାପ୍ତାହିକ ହାଟ ଦିନ ୧୦ ଟଙ୍କା ଟିକସ ଦିଅନ୍ତି । ଘଣ୍ଟାସୁଣୀ ମନ୍ଦିର ପାଖରୁ ପୋଲିସ ଷ୍ଟେସନ ଛକ ପର୍ୟ୍ୟନ୍ତ ଯେତେ ବ୍ୟବସାୟୀ, ସମସ୍ତଙ୍କ ପାଖରୁ ଟିକସ ଆଦାୟ କରିଥାନ୍ତି । ଯେଉଁ ଚାଷୀ ବ୍ୟବସାୟୀମାନେ ପାହାନ୍ତିଆରୁ ପନିପରିବା ଆଣି ହୋଳସେଲ୍‌ରେ ବିକ୍ରି କରନ୍ତି ସେମାନଙ୍କ ଠୁ ମଧ୍ୟ ଟିକସ ଆଦାୟ କରାଯାଏ । ଦିନକୁ ପ୍ରାୟ ପାଞ୍ଚଶହ ବ୍ୟବସାୟୀମାନଙ୍କ ପାଖରୁ ଟିକସ ଆଦାୟ କରାଯାଉଥିବା ଅନୁମାନ କରାଯାଏ । କିନ୍ତୁ ଉକ୍ତ ବ୍ୟବସାୟୀମାନଙ୍କ ଅଭିଯୋଗ ରହୁଛି, ତାଙ୍କ ଦିଆଯାଉଥିବା ଟିକସରୁ ତାଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ । ପିଇବା ପାଣିର ସୁବିଧା ନାହିଁ, ପରିସ୍ରା କରିବା ପାଇଁ ସ୍ଥାନ ନାହିଁ । ଏଠାରେ ମହିଳା ବ୍ୟବସାୟୀ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାହାନ୍ତିଆ ଚାରିଟା ସମୟରୁ ସନ୍ଧ୍ୟା ସାତଟା ସମୟ ପର୍ୟ୍ୟନ୍ତ ବ୍ୟବସାୟୀ ଏଠାରେ ରୁହନ୍ତି । ସେମାନେ ନିକଟରେ ଥିବା ଗଳିମାନଙ୍କୁ ଯାଇ ଘରମାନଙ୍କ ପାଖରେ ବାଧ୍ୟ ହୋଇ ପରିସ୍ରା କରନ୍ତି ନଚେତ୍ ରେଳବାଇ ଫାଟକ ପାଖକୁ ଯାଆନ୍ତି । ଏହା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ମଧ୍ୟ ନାହିଁ । ଏଥି ଯୋଗୁଁ ଗଳି ଗୁଡିକରେ ଥିବା ଲୋକମାନେ ଦୁର୍ଗନ୍ଧ ହେଉଥିବା ଅଭିଯୋଗ କରୁଛନ୍ତି । ଅନ୍ୟ ପଟେ ପିଇବା ପାଣିର ଅସୁବିଧା । ପିଇବା ପାଣି ଟିକକ ପାଇଁ ବ୍ୟବସାୟୀ ହଇରାଣରେ ପଡୁଥିବା ଅଭିଯୋଗ କରୁଛନ୍ତି । ବର୍ଷା ଦିନରେ କାଦୁଅ ପଚପଚ ସ୍ଥାନରେ ବସି ବ୍ୟବସାୟ କରନ୍ତି । ବଜାର ମଧ୍ୟରେ ବ୍ୟବସାୟୀମାନଙ୍କ ପାଇଁ ତଳ ସିମେଣ୍ଟ କରାଯିବ ବୋଲି ଅନେକ ଥର କହୁଛନ୍ତି । କିନ୍ତୁ ତାହା ମଧ୍ୟ କରାଯାଇନାହିଁ । ଅଳ୍ପ ବର୍ଷରେ ହାଟପଦା ମଧ୍ୟରେ ପାଣି ଜମିବା ସହ କାଦୁଅ ଜମି ରହେ । ଲୋକ ଚଳାବୁଲା କରିବା ପାଇଁ ମଧ୍ୟ ଘୃଣା କରୁଥିବା ଦେଖିବାକୁ ମିଳେ । ବର୍ଷା ହେଲେ ବ୍ୟବସାୟୀଙ୍କ ମୁଣ୍ଡରେ ଛାଉଣୀ ମଧ୍ୟ ନ ଥିବାରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରୁଛନ୍ତି । ବଜାର ମଧ୍ୟ ଦେଇ ଜାତୀୟ ରାଜପଥ ଦେଇ ଯାଇଛି ଓ ଏହା କଡରେ ବ୍ୟବସାୟୀ ପନିପରିବା ବିକ୍ରି କରନ୍ତି । ସେହି ରାସ୍ତାରେ ଗୋଟିଏ ବସ୍ କିମ୍ବା ଗୋଟିଏ ଟ୍ରକ୍ ଗଲେ ଅପର ପଟରୁ ସାଇକେଲ ଟିଏ ମଧ୍ୟ ଆସିବା କଷ୍ଟସାଧ୍ୟ ହୋଇପଡେ । ଏହା ବ୍ୟତୀତ ଟିଟିଲାଗଡର ମେରୁଦଣ୍ଡ ସଦୃଶ୍ୟ ରେଳବାଇ ଫାଟକ ରହିଛି । ସାପ୍ତାହିକ ହାଟ ଦିନମାନଙ୍କରେ ଅନେକ ଭିଡ଼ ଜମୁଥିବ ଦେଖିବାକୁ ମିଳେ । କେବଳ ମାତ୍ର ପାଞ୍ଚଶହ କିମି ଅର୍ଥାତ ଅଧ କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗେ, ଯେଉଁଥିପାଇଁ ବ୍ୟବସାୟୀମାନଙ୍କୁ ମଧ୍ୟ ଅସୁବିଧା ହେବା ସହ ଯିବାଆସିବା କରୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ବହୁତ ଅସୁବିଧା ହୁଏ । ଫାଟକ ପାଖରୁ ପୋଲିସ ଷ୍ଟେସନ ଛକ ପର୍ୟ୍ୟନ୍ତ ବ୍ୟବସାୟୀମାନଙ୍କୁ ପ୍ରଶାସନ ତରଫରୁ ଅନେକ ଥର ଉଠାଇ ଦିଆଯାଉଛି । କିନ୍ତୁ ସେମାନଙ୍କୁ କୌଣସି ଥଇଥାନ କରାଯାଉ ନଥିବା କହିଛନ୍ତି । ଆଦାୟ ହେଉଥିବା ବଜାର ଟିକସ କାହା ପାଇଁ ଓ ତାହା କୁଆଡେ ଯାଉଛି ବୋଲି ବ୍ୟବସାୟୀ ସାଧାରଣରେ ପ୍ରଶ୍ନ କରୁଛନ୍ତି । ବଜାର ର ଉନ୍ନତିକରଣ ଓ ବ୍ୟବସାୟୀ ମାନଙ୍କ ସୁବିଧା ପାଇଁ ଆଦାୟ ହେଉଥିବା ଟିକସ ର ଆଖି ଦୃଶ୍ୟା କୌଣସି ଉନ୍ନତି ହେଉନଥିବା ବ୍ୟବସାୟୀ ମାନେ କହନ୍ତି । ଏଥିପ୍ରତି ପ୍ରଶାସନ ର ଦୃଷ୍ଟି ଦେବା ଉଚିତ ବୋଲି ବୁଦ୍ଧଜୀବିମାନେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.