ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରର ସ୍ଥିତି ଓ ବ୍ୟବସ୍ଥାର ନିରୀକ୍ଷଣ କଲେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନକୁ ସୁବ୍ୟବସ୍ଥିତ ପରିଚାଳନା ନିମନ୍ତେ ଭାରତ ନିର୍ବାଚନ ଆୟୁକ୍ତଙ୍କ ଦ୍ୱାରା ସାଧାରଣ ପର୍ଯ୍ୟବେକ୍ଷକ ରାଜନ ଭିଶାଲ, ଆଇ. ଏ. ଏସ୍‌ ଜିଲ୍ଲା ଅନ୍ତର୍ଗତ ୧୦ -ବଲାଙ୍ଗିର ସଂସଦୀୟ କ୍ଷେତ୍ର ସହ ୬୪ ବୀରମହାରାଜପୁର ଓ ୬୫ ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିଯୁକ୍ତ ହୋଇଛନ୍ତି । ସେ ଜିଲ୍ଲାରେ ପହଞ୍ଚି ଜିଲ୍ଲା ନିର୍ବାଚନ ସମ୍ୱନ୍ଧୀୟ ବିଧି ବ୍ୟବସ୍ଥା ସହ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ନିର୍ବାଚନରେ ସମ୍ପୃକ୍ତ ବିଭିନ୍ନ ନୋଡାଲ ଅଧିକାରୀ, ରାଜନୈତିକ ପ୍ରତିନିଧି, ନିର୍ବାଚନରେ ନାମାଙ୍କନ ଭରିଥିବା ପ୍ରାର୍ଥୀ, ପ୍ରାର୍ଥିନୀ, ପ୍ରତିନିଧିଙ୍କ ସହ ସ୍ୱତନ୍ତ୍ର ବୈଠକ ମାଧ୍ୟମରେ ଅବଗତ କରାଇଛନ୍ତି । ସେ ଉଭୟ ନିର୍ବାଚନ ମଣ୍ଡଳୀର ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ସହ କାଉଁଟିଙ୍ଗ ସେଣ୍ଟରର ପରିଦର୍ଶନ ଓ ନିରୀକ୍ଷଣ କରିବା ସହ ଜିଲ୍ଲାର ବ୍ୟବସ୍ଥିତ ଓ ଶୃଙ୍ଖଳିତ ମତଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଜିଲ୍ଲାର ମତଦାନ ହାରକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ଜିଲ୍ଲାର ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚି ସ୍ଥିତି ଓ ବ୍ୟବସ୍ଥାର ନିରୀକ୍ଷଣ କରିଥିବା ବେଳେ ସବୁ ବର୍ଗର ମତଦାତାଙ୍କ ନିମନ୍ତେ ଆବଶ୍ୟକ ମୌଳିକ ସୁବିଧାକୁ ସୁନିଶ୍ଚିତ କରିବା ନିମନ୍ତେ ସେ ଉଭୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଭିଶାଲ ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘାଟକଇଁତରା ୟୁପିଏସ୍‌ ବୁଥ୍ ନଂ ୨୫୨, ନୂଆପଡା ପ୍ରାଥମିକ ବିଦ୍ୟାଳୟ ବୁଥ୍ ନଂ ୨୫୫, ରଥପଡା ବାଳିକା ପ୍ରାଥମିକ ବିଦ୍ୟାଳୟ ୨୫୯ ବୁଲିଦେଖିଥିବା ବେଳେ ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଶିପଡା ବୁଥ୍ ନଂ ୧୩୮, ନାଏକପଡା ବୁଥ୍ ନଂ ୧୩୭, ଏବଂ ଚଡେଇପଙ୍କ ବୁଥ୍ ନଂ ୯୯ର ପରିଦର୍ଶନ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକଙ୍କ ବୁଥ୍ ପରିଦର୍ଶନ ସମୟରେ ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଂ, ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଉପଜିଲ୍ଲାପାଳ ସୁବର୍ଣ୍ଣପୁର ସୁରଜ କୁମାର ପଟ୍ଟନାୟକ, ଲିଆସନ୍‌ ଅଧିକାରୀ ତଥା ସିଏସ୍‌ ଓ ସୁରେଶ ପାଣିଗ୍ରାହୀ ସମେତ ଅନ୍ୟାନ୍ୟ ନିର୍ବାଚନ ସମ୍ପୃକ୍ତ କ୍ଷେତ୍ର ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 − 8 =