
ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାର୍ଯ୍ୟ କରୁଥିବା ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖରୁ ଆରମ୍ଭ ହୋଇ ଆଜି ଯାଏଁ ଅନବରତ ରାଷ୍ଟ୍ର ହିତରେ ଏବଂ ଛାତ୍ରମାନଙ୍କ ହିତରେ କାମ କରୁଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ ଏବଂ ତାର ସଦସ୍ୟତାରୁ ହିଁ ହୋଇଥାଏ ବିଶ୍ଵର ସବୁଠୁ ବଡ ଛାତ୍ର ସଂଗଠନ । ପ୍ରତିବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇଯିବ । ଏପ୍ରିଲ ମାସରେ ୨୫-୨୬ ତାରିଖରେ କୋରାପୁଟ ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକରେ ୨୦୨୬-୨୭ ଶିକ୍ଷା ବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ ଲକ୍ଷ ସଦସ୍ୟତା କରିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଶିକ୍ଷା ବର୍ଷରେ ଏବିଭିପି ସଂପୂର୍ଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ୩୩୧ଟି ମହାବିଦ୍ୟାଳୟ ଓ ୭ଟି ବିଶ୍ଵବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା ଘୋଷଣା କରିବ, ସେହିପରି ବଲାଙ୍ଗିର ଜିଲ୍ଲାରେ ୧୪ଟି ନଗର ଶାଖା ଏବଂ ୬୦ଟି କ୍ୟାମ୍ପସ ଶାଖା ଘୋଷଣା ଓ ୧୫୦୦୦ରୁ ଅଧିକସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ରଖିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ, ବିଭାଗ ସଂଯୋଜକ ମଞ୍ଜିତ କୁମାର କର୍ମୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତୁଲସି ସୁନା ଓ ଏହି ସାମ୍ବାଦିକ ସମ୍ମିଳନୀର ସଂଯୋଜକ ତେଜରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।