pakka

ରାଉରକେଲା ବିକାଶ ମଞ୍ଚର ଚତୁର୍ଥ ଜନ ସଚେତନତା ଅଭିଯାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ତରଫରୁ ଚତୁର୍ଥ ଜନ ସଚେତନତା ଶିବିର କୋଏଲନଗର ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦତ୍ତ ରାଉରକେଲା ଏବଂ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ରାଉରକେଲାରେ ଏକ ନୂଆ ରେଳ ଡିଭିଜନ ସ୍ଥାପନ କରାଇବା, ସୁପର ସ୍ପେସିଆଲଟି ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଇବା, ୪ସି ଯୁକ୍ତ ବିମାନ ବନ୍ଦର ଚଳାଇବା ଆଦି ଦାବୀଗୁଡିକ ସହ ଏହି ମଞ୍ଚର ଆଭିମୁଖ୍ୟ ଓ ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ସମାବେଶରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ କର୍ମକର୍ତ୍ତା, ସ୍ୱେଛାସେବୀ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ସମାଜସେବୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ମହିଳା ସ୍ୱେଛାସେବୀମାନେ ଯୋଗ ଦେଇ ସେମାନଙ୍କର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ । ସମାଜସେବୀ ସଂଜୀବ ମହାନ୍ତି, ରେଳ ଓ ସଡ଼କ ଉପଯୋଗକାରୀ ସଂଘର ଅମୂଲ୍ୟ ଚରଣ ବରାଳ, ଆପ ପାର୍ଟିର ରଞ୍ଜନ ଲେଙ୍କା, ସିପିଏମ୍‌ ସମ୍ପାଦକ ସୁରେନ୍ଦ୍ର ଦାଶ, ଜଗଦା ସାଂସ୍କୃତିକ ପରିଷଦର ସଭାପତି ପିତାମ୍ବର ଲେଙ୍କା, ବରଟୋଲି ବିକାଶ ସମିତିର ସମ୍ପାଦକ ପ୍ରଭାତ କୁମାର ଜେନା, ବିଜେଡିର ନଗର ସଭାପତି ଗଗନ ପଣ୍ଡା, ଲିଟୁ ପୁହାଣ, ମାଇକ୍ରୋ ବିଜ୍ଞାନୀ ଗୀତାଞ୍ଜଳି ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘର କୃତିବାସ ମହାପାତ୍ର, କୋଏଲ କ୍ଲବର ଦିଲ୍ଲୀପ ମହାନ୍ତି, ଚକ୍ରା ବିଶୋଇ ସ୍ମୃତି ସଂସଦର ପ୍ରକାଶ ପତି ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଶେଷରେ କବି ତଥା ସାମ୍ବାଦିକ କୁଞ୍ଜ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବକ୍ତାମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେବା ସହ ରାଜନୈତିକ ବିବାଦ ଭୁଲି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାଯ୍ୟରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ସମସ୍ତଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ବିଗତ ଦିନରେ ଜନ ସଚେତନତା ଅଭାବରୁ ଯେପରି ଇଏସ୍‌ଆଇସି ହସ୍ପିଟାଲ, ଆଇଆଇଏମ୍‌ ମହାବିଦ୍ୟାଳୟ, ମେଲେରିଆ ଗବେଷଣା କେନ୍ଦ୍ର ଆଦି ଜିଲ୍ଲାରୁ ସ୍ଥାନାନ୍ତର ହୋଇଗଲା ତାହା ନିହାତି ଚିନ୍ତାର ବିଷୟ ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ କଳକାରଖାନା, ଖଣିଖାଦାନ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ, ଅଫିସ, ଐତିହାସିକ ସ୍ଥଳଥିବା ବେଳେ ଏବଂ ସରକାରଙ୍କୁ ବହୁ ପରିମାଣରେ ରାଜସ୍ବ ଦେଉଥିଲେ ମଧ୍ୟ କୌଣସି ଆଖି ଦୃଶିଆ ଉନ୍ନତି ହେଉନାହିଁ ବୋଲି ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଉରକେଲାବାସୀଙ୍କର ସୁବିଧା ପାଇଁ ଭୁବନେଶ୍ୱର ଠାରେ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଏକ ରାଉରକେଲା ଭବନ ନିର୍ମାଣ ପାଇଁ ଦାବୀ ହୋଇଥିଲା । ତେଣୁ ସମସ୍ତେ ରାଉରକେଲା ବିକାଶ ମଞ୍ଚର ଏଇଭଳି ଜନ ସଚେତନତା ଶିବିରର ଆୟୋଜନକୁ ପ୍ରଶଂସା କରିବା ସହ ଏହି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏକଜୁଟ ହେବାକୁ ମତ ରଖିଥିଲେ । ପ୍ରକାଶ ଥାଉକି ରାଉରକେଲାରେ ବିମାନ ବନ୍ଦରର କାର୍ପେଟ ଏରିଆକୁ ବଢ଼ାଯାଇ ୫୬୫୫ ଫୁଟ୍‌ରୁ ୬୨୭୩ ଫୁଟ୍‌କୁ ସମ୍ପ୍ରସାରଣ କରାଯାଉଛି ଯାହା ୪ସି ବିମାନ ବନ୍ଦର ପାଇଁ ଉପଯୁକ୍ତ । ଏହାଠାରୁ କମ୍ କାର୍ପେଟ ଏରିଆ ଥିବା ବିମାନ ବନ୍ଦର ଯଥା -ପୋରବନ୍ଦର – ୪୫୦୦ଫୁଟ୍‌ କାଣ୍ଡଲା -୪୯୯୭ ଫୁଟ୍‌, ଡ଼ିଉ -୫୯୨୨ଫୁଟ୍‌, ମହୀଶୂର -୫୬୦୯ଫୁଟ୍‌, ପୁଡ଼ୁଚେରୀ -୫୮୦୦ଫୁଟ୍‌, ଶିଲଙ୍ଗ -୬୦୦୦ ଫୁଟ୍‌, ଜଗଦଳପୁର -୫୬୦୦ଫୁଟ୍‌ ଓ ବିଳାସପୁର -୫୦୩୫ଫୁଟ୍‌ ଥାଇ ୪ସି ଲାଇସେନ୍ସ ପାଇଛନ୍ତି । ଏଣୁ ରାଉରକେଲା ବିମାନବନ୍ଦରକୁ ୪ସି ଲାଇସେନ୍ସ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ । ସେହିପରି ଚକ୍ରଧରପୁର ରେଳବାଇ ଡିଭିଜନର ୮୮ ଷ୍ଟେସନରୁ ୧୮ହଜାର କୋଟି ରାଜସ୍ବ ଆଦାୟ ହେଉ ଥିଲା ବେଳେ ପ୍ରସ୍ତାବିତ ରାଉରକେଲା ରେଳବାଇ ଜୋନର ୫୦ଟି ଷ୍ଟେସନରୁ ୧୪ହଜାର କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥାଏ । ବନ୍ଧମୁଣ୍ଡା ଠାରେ ପର୍ଯ୍ୟାପ୍ତ ଜମି ଓ ଭିତ୍ତିଭୂମି ଥିବାରୁ ରାଉରକେଲାରେ ଏକ ରେଳ ଡିଭିଜନ ହୋଇ ପାରିବ ବୋଲି ଦାବୀ କରିଥିଲେ । ସୂଚନା ଯୋଗ୍ୟ ଯେ, ରାଉରକେଲା ବିକାଶ ମଞ୍ଚ ଏହା ପୂର୍ବରୁ ରାଉରକେଲାର ବିଭିନ୍ନ ସ୍ଥାନରେ ଏହିଭଳି ଜନ ସଚେତନତା ଶିବିରର ଆୟୋଜନ କରି ଆସୁଅଛି ।

Leave A Reply

Your email address will not be published.

7 + one =