jayashree

ବିଶ୍ୱ ହୃଦୟ ଦିବସ ୨୦୨୬ : ଆପୋଲୋ ହସ୍ପିଟାଲ୍ସ ରାଉରକେଲାର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ହୃଦୟ ଦିବସ ୨୦୨୬ ଅବସରରେ ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ସେକ୍ଟର-୧୯ ଅଡିଟୋରିୟମରେ ଦିନବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହୃଦୟ ସୁରକ୍ଷା, ପ୍ରତିଷେଧ, ସୁସ୍ଥ ଜୀବନଶୈଳୀ ଏବଂ ଜରୁରୀ ପରିସ୍ଥିତିରେ ଶୀଘ୍ର ପଦକ୍ଷେପର ଗୁରୁତ୍ୱ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଜାପିତା ବ୍ରହ୍ମାକୁମାରୀର ବରିଷ୍ଠ ରାଜଯୋଗ ଶିକ୍ଷିକା ବିକେ ଶ୍ୱେତାଙ୍କ ଧ୍ୟାନ ଅଧିବେଶନ ଏବଂ ଚନ୍ଦ୍ରଚୂଡ଼ ପାଣିଗ୍ରାହୀଙ୍କ ଯୋଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମାନସିକ ଶାନ୍ତି, ଚାପ ନିୟନ୍ତ୍ରଣ ଓ ଶାରୀରିକ ସକ୍ରିୟତା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଆଲୋଚନା କରାଯାଇଥିଲା । ଏହାପରେ ମୁଖ୍ୟ ଡାଏଟିସିଆନ ଶୁଭନ୍ୱିତା ମାଇତି “ସୁସ୍ଥ ହୃଦୟ ପାଇଁ ଖାଦ୍ୟାଭ୍ୟାସ” ବିଷୟରେ ବକ୍ତବ୍ୟ ଦେଇ ସନ୍ତୁଳିତ ପୁଷ୍ଟିକର ଖାଦ୍ୟର ଭୂମିକା ବୁଝାଇଥିଲେ । କାର୍ଯ୍ୟକ୍ରମର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଜରୁରୀ ପ୍ରସ୍ତୁତି । ବେସିକ ଲାଇଫ ସପୋର୍ଟ (ବିଏଲ୍‌ଏସ୍‌) ପ୍ରଶିକ୍ଷଣ ମାଧ୍ୟମରେ ହୃଦଘାତ ସମୟରେ ପ୍ରାଥମିକ ପଦକ୍ଷେପ ବିଷୟରେ ସଚେତନ କରାଯାଇଥିଲା । “ହାର୍ଟ ଆଟାକ: ଲକ୍ଷଣ ଓ ପ୍ରତିଷେଧ” ଅଧିବେଶନରେ ଶୀଘ୍ର ଲକ୍ଷଣ ଚିହ୍ନଟ କରି ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଥିଲା । ଗଣମାଧ୍ୟମ ସହ ଆଲୋଚନାରେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଶେଷଜ୍ଞ ଡ. ରବି ରଞ୍ଜନ କିଣ୍ଡୋ ଏବଂ ସିଟିଭିଏସ ବିଶେଷଜ୍ଞ ଡ. ତୃପ୍ତି ତାଲାପାତ୍ର ହୃଦରୋଗର ବିପଦ କାରକ, ପ୍ରତିଷେଧ ଓ ଶୀଘ୍ର ରୋଗ ନିର୍ଣ୍ଣୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ବହୁବିଭାଗୀୟ ହୃଦୟ ଚିକିତ୍ସା ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା । କାର୍ଡିଓଲୋଜି, ସିଟିଭିଏସ, କାର୍ଡିଆକ ଆନେସ୍ଥେସିଆ, କ୍ରିଟିକାଲ କେୟାର, ଜରୁରୀ ଚିକିତ୍ସା ଓ ନର୍ସିଂ ସେବାର ମିଳିତ ପ୍ରୟାସ ରୋଗୀ ସୁରକ୍ଷା ସୁନିଶ୍ଚିତ କରେ ବୋଲି ବକ୍ତାମାନେ କହିଥିଲେ । ଉନ୍ନତ କ୍ୟାଥ ଲ୍ୟାବ, ଆଧୁନିକ ଡାଇଗ୍ନୋଷ୍ଟିକ ଓ ଇମେଜିଂ ସୁବିଧା ସହ ଆପୋଲୋ ରୋଗ ନିର୍ଣ୍ଣୟଠାରୁ ଚିକିତ୍ସା ଓ ପୁନର୍ବାସ ପର୍ଯ୍ୟନ୍ତ ସମନ୍ୱିତ ସେବା ଯୋଗାଉଛି । ଶେଷରେ ଫିଟନେସ ପଏଣ୍ଟ, ବଣ୍ଡାମୁଣ୍ଡାର ଡି. ଆପା ରାଓଙ୍କ ନେତୃତ୍ୱରେ ସକ୍ରିୟ ଜୀବନଶୈଳୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସଚେତନତା ଓ ଦୈନନ୍ଦିନ ସୁସ୍ଥ ଅଭ୍ୟାସ ହିଁ ହୃଦୟ ସୁରକ୍ଷାର ମୂଳମନ୍ତ୍ର ବୋଲି ବାର୍ତ୍ତା ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଡାକ୍ତର ଅନୁଭବ ମହାପାତ୍ରଙ୍କ ସଂଯୋଜନାରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଜି ସି ପତ୍ରି, ଡାକ୍ତର ଶୁଭେନ୍ଦୁ ସରକାର ଓ ଡାକ୍ତର ତୃପ୍ତି ତାଳପତ୍ର ହୃଦରୋଗର କାରଣ ଓ ନିରାକରଣ ତଥା ସଚେତନତା ଓ ଦୈନିକ ଅଧଘଣ୍ଟା ପରିଶ୍ରମ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଛେଣ୍ଡ ଥାନାର ହୋମଗାର୍ଡ ଅଞ୍ଜନାରାଣୀ ମାଝୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶେଷଜ୍ଞଙ୍କ ଦ୍ଵାରା ଏକ ହୃଦରୋଗ ବିଶେଷାଙ୍କ ଉନ୍ମୋଚନ କରାଯାଇଥିଲା । ଆପୋଲୋ ହସ୍ପିଟାଲର ପରିଚାଳନା ମୁଖ୍ୟ ଡା. ଅଖିଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.