
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ଅଧ୍ୟକ୍ଷ ତଥା ଜିଲା ଜଜ୍ ହିରନମୟ ବିଶୋଇଙ୍କ ଅନୁମତି କ୍ରମେ ତା.୨୭.୦୪.୨୦୨୬ରେ ଦେଓଗାଁ ବ୍ଳକ ଅଫିସ, ବଲାଙ୍ଗିର ଠାରେ ମାନବ-ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତଙ୍କ ପାଇଁ ନ୍ୟାୟ ପ୍ରାପ୍ତି ଏବଂ ପୋଶ୍ ଆକ୍ଟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଇନ ସଚେତନତା ଶିବିରରେ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପବିତ୍ରାନନ୍ଦ ପ୍ରଧାନ ଯୋଗଦେଇ କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନରୁ ସୁରକ୍ଷା ଦେବା ପାଇଁ ପୋଶ୍ ଆକ୍ଟ ସମ୍ବନ୍ଧୀୟ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ, ଏହି ଆଇନ ଅନୁସାରେ ପ୍ରତ୍ୟେକ କାର୍ଯ୍ୟସ୍ଥଳରେ ମହିଳାଙ୍କ ସୁରକ୍ଷା ନିଶ୍ଚିତ କରିବା ଅନିବାର୍ଯ୍ୟ । ଯୌନ ଉତ୍ପୀଡ଼ନ ଘଟଣାରେ ଅଭିଯୋଗ ପାଇଁ ଇଣ୍ଟର୍ନାଲ୍ କମ୍ପ୍ଲେଣ୍ଟ କମିଟି ଗଠନ ଆବଶ୍ୟକ ଏବଂ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଶିବିର ଉପରେ ସଚେତନତା କରାଇବା ସହିତ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ଏନ୍ଏଏଲ୍ଏସ୍ଏ) ଯୋଜନା ଅନୁସାରେ ମାନବ-ବନ୍ୟପ୍ରାଣୀ ସଂଘର୍ଷରେ ପୀଡ଼ିତଙ୍କୁ ନ୍ୟାୟ ପ୍ରାପ୍ତି ଉପରେ ସୂଚନା ଦେଇଥିଲେ । ଉକ୍ତ ଶିବିରରେ ପ୍ରୋବେସନର ମାଜିଷ୍ଟ୍ରେଟ ରାଜଶ୍ରୀ ପ୍ରିୟଦର୍ଶିନୀ ଯୋଗଦେଇ ‘ପୋଶ୍ ଆଇନ’ର ମୂଳ ବିଧାନ, ଯୌନ ଉତ୍ପୀଡ଼ନର ପରିଭାଷା, ଅଭିଯୋଗ ପ୍ରକ୍ରିୟା ଓ ପୀଡ଼ିତାଙ୍କ ସୁରକ୍ଷା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀୟରଂଜନ କୁମାର ଯୋଗଦେଇ ଲୋକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ ଯୋଜନା ଉପରେ ଅବଗତ କରାଇଥିଲେ । ଏଥିସହିତ ରକ୍ତ ଶିବିରରେ ନବୀନ କୁମାର ପାଣେ, ବନ ରେଞ୍ଜ ଅଫିସର, ବଲାଙ୍ଗିର ଯୋଗଦେଇ ମାନବ ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତଙ୍କୁ ନ୍ୟାୟ ଓ ସରକାରୀ ସହାୟତା ବିଷୟରେ ସଚେତନ କରିବା ସହିତ ଅଧିକାରୀମାନେ ପୀଡ଼ିତମାନଙ୍କୁ ତତକ୍ଷଣାତ୍ ଫରେଷ୍ଟ ଅଫିସ୍ କିମ୍ବା ପୋଲିସ୍ରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ ।