
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ମେ ମାସ ୦୯ ତାରିଖ ଶନିବାର ଦିନ ବଲାଙ୍ଗିର, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ, ବଙ୍ଗୋମୁଣ୍ଡା ଏବଂ ତୁଷୁରା ଅଦାଲତ ପରିସରରେ ଓ ଜିଲ୍ଲାର ସମସ୍ତ ରାଜସ୍ଵ ବିଭାଗ ତଥା ରାଷ୍ଟ୍ରାୟତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବିଏସ୍ଏନ୍ଏଲ୍, ମ୍ୟୁନସିପାଲଟି, ପିଏଚ୍ଡି, କନଜୁମର୍ ଫୋରମ୍ ଇତ୍ୟାଦି ବିଭାଗମାନଙ୍କର ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧିଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହାସହ ପ୍ରାକ୍ ମକଦ୍ଦମାସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଆଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଓ ତାଲୁକ ଆଇନ ସେବା କମିଟି ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ଲୋଇସିଂହା, ସଇଁତଲା, ମୁରିବାହାଲ, ବଙ୍ଗୋମୁଣ୍ଡା, ତୁଷୁରା ଏବଂ ଅନ୍ୟ ଉପରୋକ୍ତ ବିଭାଗମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଉଛି । ଏଥିସହିତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଜାତୀୟ ମଧ୍ୟସ୍ଥତା ଅଭିଯାନ-୨ ଚାଲୁଛି । ଏହି ମାଧ୍ୟମରେ ନିଜ ମାମଲାର ଫଇସଲା କରି ବହୁମୂଲ୍ୟ ସମୟ, ଶ୍ରମ ଓ ଅର୍ଥ ସଂଚୟ କରନ୍ତୁ । ଅଧିକ ବିବରଣୀ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ସହ ଯୋଗାଯୋଗ କରନ୍ତୁ ।