csstore

ବିଶିଷ୍ଟ ଶିକ୍ଷାବିତ୍‌ ଓ ସାରସ୍ୱତ ସାଧକ ଗୌରୀ ଶଙ୍କର ମିଶ୍ରଙ୍କ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ତଥା ଗବେଷକ ଗୌରୀ ଶଙ୍କର ମିଶ୍ରଙ୍କ ତିରୋଧାନରେ ସ୍ଥାନୀୟ ନବୀନ ଭବନ ପରିସରରେ ଶନିବାର ଅପରାହ୍ଣରେ ଏକ ସ୍ମୃତିସଭା ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍‌ କୁଳପତି ଡ. ମନ୍ମଥ ପାଢ଼ୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ୍‌ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ, ବରିଷ୍ଠ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ସଂସ୍କୃତି ଗବେଷକ ଡ. ବାୟାମନୁ ଚର୍ଚ୍ଚି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ ସହ ତାଙ୍କ ରଚିତ ବିଭିନ୍ନ ସାରସ୍ୱତ କୃତି ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ବିଶେଷକରି ଗଞ୍ଜାମର ଇତିହାସ, ସଂସ୍କୃତି, ଭାଷା, ସାହିତ୍ୟ ସମ୍ପର୍କରେ ତାଙ୍କରି ଗବେଷଣାଭିତ୍ତିକ ଲେଖା ଆଗାମୀ ପିଢ଼ିର ଗବେଷକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ବୋଲି ବକ୍ତାମାନେ ମତ ପ୍ରକାଶ କରିବା ସହ ତାଙ୍କ ବିୟୋଗରେ ଦକ୍ଷିଣ ଓଡିଶା ଜଣେ ଅମୂଲ୍ୟ ପ୍ରତିଭାଙ୍କୁ ହରାଇଲା ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ବିରୂପାକ୍ଷ ଦାଶ, ଶ୍ୟାମ ସୁନ୍ଦର ଖାଡଙ୍ଗା, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ବୈଜ୍ଞାନିକ ଡମ୍ବରୁଧର ସାହୁ, କବି ପ୍ରମୋଦ କୁମାର ପଣ୍ଡା, ବଂଶୀଧର ସେଠୀ, ରଜନୀକାନ୍ତ ଶତପଥୀ, ପ୍ରତ୍ୟୁଷ କୁମାର ଦାଶ, ବିଘ୍ନେଶ୍ୱର ସାହୁ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ କର, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ସଭା ପ୍ରାରମ୍ଭରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

jayashree
Leave A Reply

Your email address will not be published.