ଶବ ସତ୍କାର ନୋହିଲା : ଜଙ୍ଗଲରେ ଫିଙ୍ଗି ଦେଲେ ଶବ

ମ.ରାମପୁର, (ହେମନ୍ତ ସାହୁ) : ନିଜର ଏକ ସୁଖର ସଂସାର ଥିଲା । କୋଉ ଏକ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ମହିଳା ଜଣକଙ୍କ ଜୀବନହାନୀ ହେଲା । ହେଲେ କେହି ସାହି ଭାଇ ଆସିଲେନି, ଶବ ସତ୍କାର କରିବାକୁ, ଉପାୟ ନପାଇ ଗାଁ ନିକଟରେ ଥିବା ଜଙ୍ଗଲରେ ଶବକୁ ଫିଙ୍ଗିଦେଇ ଆସିଲେ ପରିବାର ଲୋକେ । ତେବେ ଏହି ଘଟଣାଟି ଏବେ ପଦାକୁ ଆସିଛି । ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ମୋହନଗିରୀ ତେଜିପଡ଼ା ଗ୍ରାମ ଟିକ୍ରାପଡ଼ା ଗ୍ରାମର ହଳଧର ବରିହାଙ୍କ ପତ୍ନୀ ଝରା ବରିହା(୪୭)ଙ୍କ ଆଜକୁ ନଅ ଦିନ ତଳେ ମୃତ୍ୟୁ ହେଇଥିଲା । ତେବେ ସେ ଏକ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ଶବକୁ ବନ୍ଧୁବାନ୍ଧବମାନେ ସତ୍କାର କରିବାରେ ସହଯୋଗ କରିବାକୁ ମନା କରି ଦେଇଥିଲେ । ପରେ ବାଧ୍ୟ ହେଇ ପରିବାର ଲୋକେ ଏକ ଖଟିଆ ସାହାଯ୍ୟରେ ନିକଟସ୍ଥ ଟେକର ଜଙ୍ଗଲକୁ ନେଇ ଫିଙ୍ଗିଦେଇଥିଲେ । ଶବକୁ ଫିଙ୍ଗିଦେଇ ତା ଉପରେ ଗଛ ଡ଼ାଳ ଢାଙ୍କି ଦେଇଥିଲେ । ଏବେ ଘଟଣାଟି ଲୋକଲୋଚନକୁ ଆସିଛି । ଶବକୁ ଫିଙ୍ଗିଥିବା ସ୍ଥାନରେ ଖଟ ପଡ଼ିଥିବା ବେଳେ ମୃତକଙ୍କ ହାଡ଼, ଖପୁରୀ ଆଦି ଇତସ୍ତତଃ ପଡ଼ି ରହିଛି । କାହିଁକିି ଏମିତି କଲ ବୋଲି ପଚାରିବାରୁ ମୃତକଙ୍କ ସ୍ୱାମୀ କେହି ସହଯୋଗ ନ କରିବାରୁ ଶବକୁ ନେଇ ଜଙ୍ଗଲରେ ଫିଙ୍ଗିଦେଇଛୁ ବୋଲି କହିଛନ୍ତି । ତେବେ ରୋଗରେ ପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ବଲାଙ୍ଗିର ନେଇ ଅନେକ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରାଇଥିଲେ ହେଁ ସେ ଭଲ ହେଇନଥିଲେ । ପରେ ପରେ ଗତ ନଅ ଦିନ ତଳେ ସେ ଆଖିବୁଜିଲେ । ଏବେ ପରିବାରରେ ତାଙ୍କରି ଚାରୋଟି ପୁଅଝିଅ ରହିଛନ୍ତି । ତେବେ ରୋଗର ଭୟରେ ଶବକୁ ଜଙ୍ଗଲରେ ଫିଙ୍ଗିଦେବା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.

20 − five =