mahavir

ମିଳିତ କ୍ରିୟାନୁଷ୍ଠାନ କମିଟି ନିଶ୍ଚିତ କଲା ରେଳରୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ସମ୍ବଲପୁର ସ୍ଥିତ ରେଲବାଇର ମଣ୍ଡଳ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଓ ବରଗଡ ମିଳିତ ଉପଭୋକ୍ତା ସଂଘର କ୍ରିୟାନୁଷ୍ଠାନ କମିଟି ତରଫରୁ ବଲାଙ୍ଗିରର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଓ ବରଗଡ ସଂଘ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ନିରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ୱାଧିନତାର ୭୯ ବର୍ଷ ହୋଇଥିଲେ ମଧ୍ୟ ଐତିହ୍ୟପୂର୍ଣ୍ଣ ବଲାଙ୍ଗିର ରେଳଷ୍ଟେସନରେ ଯାତ୍ରୀମାନେ ସବୁବେଳେ ଅବହେଳାର ଶିକାର ହେଉଛନ୍ତି । ଏଠାରୁ ଭୁବନେଶ୍ୱରକୁ ଯାଇ ଫେରି ଆସିଲା ପରି ଏକ ସକାଳୁଆ ଟ୍ରେନ ନାହିଁ, ଦିଲ୍ଲୀ ବା ପ୍ରୟାଗରାଜକୁ କୌଣସି ଏକ ସିଧାସଳଖ ଟ୍ରେନ ନାହିଁ, ସର୍ବପରି ରକ୍ଷଣାବେକ୍ଷଣ ପାଇଁ ଦୀର୍ଘ ୧୫ ବର୍ଷ ହେଲା ପିଟ ଲାଇନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଅନୁମୋଦନ ଆସିନାହିଁ । କେବଳ ସର୍ଭେ ହୋଇଛି, ହେଡ ଅଫିସକୁ ଯାଇଛି ବୋଲି ଲୋକଙ୍କୁ ଭୁଆଁ ବୁଲାଯାଉଛି । ଅମୃତ ଭାରତ ପ୍ରକଳ୍ପରେ ଷ୍ଟେସନର କୋଠାବାଡିର ନବକଳେବର ହେଉଛି ମାତ୍ର ଯାତ୍ରୀମାନଙ୍କ ସୁବିଧା ପାଇଁ ତିଳେମାତ୍ର ଧ୍ୟାନ ଦିଆଯାଉନଥିବାରୁ ଆଜି ଉଭୟ ଜିଲ୍ଲାରୁ ପ୍ରାୟ ୫୦ ଜଣ ପ୍ରତିନିଧି ଉପସ୍ଥିତ ରହି ନୀରବ ଧାରଣା ଦେଲା ପରେ ଡିଆରଏମ୍‌ଙ୍କ ପାଖକୁ ଯାଇ ଚିରାଚରିତ ଦାବିପତ୍ର ପ୍ରଦାନ କରିଥିଲେ । ଡିଆରଏମ୍‌ ପିଟ ଲାଇନର ସର୍ଭେ ରିପୋର୍ଟ ଉପରକୁ ଯାଇଛି ଓ ବଲାଙ୍ଗିର ଖୋର୍ଦ୍ଧା ରେଳପଥ ଖୋଳିଲେ ସକାଳ ଟ୍ରେନ ପାଇବେ ବୋଲି ଉତ୍ତର ରଖିଥିଲେ । ଏଣୁ ଏପରି ସମାନ ଉତ୍ତର ପାଇଲା ପରେ ମାସକ ମଧ୍ୟରେ କିଛି ବି ଦାବି ପୁରଣ ନ ହେଲେ ଉଭୟ ଷ୍ଟେସନରେ ଜୋରଦାର ଆନ୍ଦୋଲନ ବା ରେଳରୋକ କରାଯାଇପାରେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବଲାଙ୍ଗିର ସଂଘ ତରଫରୁ ସଂପାଦକ ବିମଳ ଚକ୍ରବର୍ତ୍ତୀ, ଆନ୍ଦୋଳନର ଅଧ୍ୟକ୍ଷ ଶିବ ନାରାୟଣ ରଥ, ଉପସଭାପତି ଅନନ୍ତ ବିଶୋଇ, କାର୍ଯ୍ୟକାରୀ ସଦସ୍ୟ ଦିବାକର ହୋତା, ମୋତିଲାଲ ସାହୁ, ସୁବ୍ରତ ବହିଦାର ଓ ସହ ସଂପାଦକ ହିତେଶ କୁମାର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ବଲାଙ୍ଗିର ମାଟି ପାଇଁ ଏହି ପ୍ରକାର କାର୍ଯ୍ୟକୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସ୍ୱାଗତ କରାଯାଇଛି ।

Leave A Reply

Your email address will not be published.