
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସର ରଙ୍ଗୀନ ଆଲୋକରେ ଶୋଭା ପାଇଥିଲା ଓ ଛାତ୍ରଛାତ୍ରୀମାନେ ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏହି ମାଟିର ବୀର ପୁରୁଷ ମାନଙ୍କ କଥା କହିବା ସହିତ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ । ଅନ୍ୟତମ ମୁଖ୍ୟ ଅତିଥି ସନ୍ଥ ସଦନ ତିୱାରୀ ଯୋଗଦେଇ ତାଙ୍କର ଭାଷଣ ମାଧ୍ୟମରେ ବିଦ୍ୟାଳୟ ପରିସରରେ ଏକ ଭକ୍ତି ମୂଳକ ପରିବେଶ ସୃଷ୍ଟି କରିଥିଲେ । ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମୀନା ଯୋଗ ଦେଇ ପିଲାମାନଙ୍କୁ ନିଜ ଭାଷଣ ମାଧ୍ୟମରେ ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧାରଣ ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବରେ ଅଞ୍ଚଳ କଲେଜ ପଦମପୁରର ଅଧ୍ୟକ୍ଷ ଖଗେଶ୍ଵର ଦାସ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତ ଗଡ଼ିବା ତତ ସହିତ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ପାଇକମାଲ ଜବାହର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ଅରବିନ୍ଦ ପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ଶିକ୍ଷା, ଖେଳ ଓ ଅନ୍ୟାନ୍ୟ କ୍ଷେତ୍ରରେ ସାରା ଭାରତରେ ବରଗଡ଼ ନବୋଦୟର ନାମକୁ ଆଗକୁ ନେଉଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମାହାରୀ ନୃତ୍ୟ ଓ ସଙ୍ଗୀତ ଦର୍ଶକମାନଙ୍କୁ ମୋହିତ କରିଥିଲା । ବିଶେଷ କରି ପିଲାମାନଙ୍କ ଦ୍ୱାରା ବଜା ଯାଉଥିବା ବାଦ୍ୟର ତାଳେ ତାଳେ ସମ୍ବଲପୁରୀ ନୃତ୍ୟ ପରିବେଷଣ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟରେ ପ୍ରସ୍ତୁତ ଭାରତର ବିଭିନ୍ନ ରାଜ୍ୟର ପୋଷାକ ଓ ତାହାକୁ ପରିଧାନପୂର୍ବକ ବିଭିନ୍ନ ରାଜ୍ୟର ନୃତ୍ୟ ଦର୍ଶକମାନଙ୍କ ମାନଙ୍କୁ ଆକୃଷ୍ଟ କରିଥିଲା । ଏହି ଅବସରରେ ଶିକ୍ଷା, କ୍ରୀଡ଼ା ଓ ସାହିତ୍ୟ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଭିଭାବକ ଓ ସ୍ଥାନୀୟ ନାଗରିକମାନଙ୍କର ବ୍ୟାପକ ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ସୁସଜ୍ଜିତ କରିଥିଲା ବେଳେ ବିଦ୍ୟାଳୟର ଶିକ୍ଷକ ସୁରେଶ କୁମାର ମିଶ୍ର ଓ ପ୍ରଦୀପ କୁମାର ସୁର ମଞ୍ଚ ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବଡ଼ଦେବ ମେହେର ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ ।