om academy

ଶିକ୍ଷକ ନିଯୁକ୍ତି ଦାବୀରେ ରାସ୍ତା ଅବରୋଧ କଲେ କର୍ଲାବାହାଲି ଗ୍ରାମବାସୀ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଶିକ୍ଷକ ନିଯୁକ୍ତି ଦାବୀରେ ରାସ୍ତା ଅବରୋଧ କରିଛନ୍ତି କର୍ଲାବାହାଲି ଗ୍ରାମବାସୀ । ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ପଞ୍ଚାୟତ ଅଧିନସ୍ଥ କର୍ଲାବାହାଲି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ସେଠି ମାତ୍ର ଗୋଟିଏ ଶ୍ରେଣୀ ଗୃହ । ଅନ୍ୟପଟେ ସେହି ବିଦ୍ୟାଳୟରେ ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ସେମାନେ ମନଇଚ୍ଛା ବିଦ୍ୟାଳୟକୁ ଯାତାୟାତ କରୁଥିବା ଅଭିଯୋଗ ହେଉଛି । ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଦୀର୍ଘ ସମୟ ଧରି ଏଠାରେ ରହି ନିଜସ୍ଵ ଶାସନ ଚଳାଇଛନ୍ତି । ତାଙ୍କ ନାଁରେ ସିଆର୍‌ସିସି, ଏବିଇଓ କିମ୍ବା ବିଇଓ ଯାହାକୁ ଅଭିଯୋଗ କଲେ ମଧ୍ୟ ତାଙ୍କୁ କେହି କିଛି କରିପାରନ୍ତି ନାହିଁ ବୋଲି ଅଭିଯୋଗ ହେଉଛି । ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ପ୍ରଧାନ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟକୁ ସବୁବେଳେ ଅପରିଷ୍କାର, ଛାତ୍ରଛାତ୍ରୀମାନଙ୍କ ପୋଷାକ ବଣ୍ଟନରେ ଅନିୟମିତତା, ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦେଉଥିବା ଅନେକ ଥର ଗ୍ରାମବାସୀ ଅଭିଯୋଗ କରିଥିଲେ । ତାଙ୍କୁ ବଦଳି କରି ଅନ୍ୟ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା ସହ ଆଉ ଦୁଇଟି ଶିକ୍ଷକ ନିଯୁକ୍ତି ଦେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିଲା । ଶେଷରେ କର୍ଲାବାହାଲି ଗାଁର ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସକାଳ ୮ଟାରୁ ବିଦ୍ୟାଳୟରେ ତାଲା ପକାଇବା ସହ ପାଟଣାଗଡ଼ରୁ ଖପ୍ରାଖୋଲ ରାସ୍ତା ଅବରୋଧ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଦୀର୍ଘ ୪ ଘଣ୍ଟା ଅବରୋଧ କରିବା ପରେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ ବେଲପଡା ବ୍ଲକ ଶିକ୍ଷା ଅଧିକାରୀ ଚତୁର୍ଭୁଜ ମିର୍ଦ୍ଧା ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ରାଉତ ପହଞ୍ଚି ଗ୍ରାମବାସୀମାନଙ୍କୁ ବୁଝାସୁଝା କରିଥିଲେ ଓ ଯଥାଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ବେଳେ ଗ୍ରାମବାସୀମାନେ ରାସ୍ତାରୁ ହଟିଥିଲେ ।

Leave A Reply

Your email address will not be published.