୨୨ରେ ବଲାଙ୍ଗିରରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ତଥା ଶ୍ରୀରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ୨୨ ତାରିଖ ଦିନ ଜିଲ୍ଲାବ୍ୟାପୀ ହେବାକୁ ଥିବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର କିଭଳି ଆୟୋଜନ କରାଯାଉଛି ତାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ପେଲେସ୍‌ଲାଇନ୍ ସ୍ଥିତ ଦୁର୍ଗାପୂଜା ମଣ୍ଡପଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ଜିଲ୍ଲା କମିଟି ସଂଯୋଜକ ଦୟାନିଧି କରନ୍‌, ସହ-ସଂଯୋଜକ ପବିତ୍ର ଦାଶ, ବଲାଙ୍ଗିର ନଗର ସଂଯୋଜକ ଗୋବିନ୍ଦ ମିଶ୍ର ଓ ସହ-ସଂଯୋଜକ ବାବୁଲାଲ ମିଶ୍ର, ପେଲେସ୍‌ଲାଇନ୍ ସଂସ୍କୃତି ସଂସଦର କର୍ମକର୍ତ୍ତା ଉପସ୍ଥିତ ଥିଲେ । ନଗର ସହସଂଯୋଜକ ଶ୍ରୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସମ୍ମିଳନୀରେ ଜିଲ୍ଲା କମିଟି ସଂଯୋଜକ କରନ୍ ଆସନ୍ତା ୨୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲାରେ କିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ପ୍ରସ୍ତୁତି କରାଯାଉଛି କହିଥିଲେ । ବଲାଙ୍ଗିର ଜିଲ୍ଲାର ସମସ୍ତ ୧୪ଟି ବ୍ଲକ୍‌ ବଲାଙ୍ଗିର, ଟିଟିଲାଗଡ଼ ମ୍ୟୁନିସିପାଲିଟି, ପାଟଣାଗଡ଼, କଣ୍ଟାବାଞ୍ଜି, ତୁଷରା ଏନ୍‌ଏସି ସମତେ ଜିଲ୍ଲାର ୧୭୮୮ଟି ଗାଁର ପ୍ରାୟ ସମସ୍ତ ମଠ ଓ ମନ୍ଦିରରେ ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳନ କରାଯିବ ବୋଲି କହିଥିଲେ । ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବଣ୍ଟନ ସୁଚାରୁ ରୂପେ ସମ୍ପାଦନ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ବଲାଙ୍ଗିର ନଗର କମିଟି ସଂଯୋଜକ ଗୋବିନ୍ଦ ମିଶ୍ର ୨୨ ତାରିଖ ଦିନ ବଲାଙ୍ଗିର ସହରରେ କିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ସେନେଇ ସୂଚନା ଦେଇଥିଲେ । ବଲାଙ୍ଗିର ମ୍ୟୁନିସିପାଲିଟିର ସମସ୍ତ ୨୧ଟି ୱାର୍ଡର ୮୭ଟି ପଡାରେ ଥିବା ମଠ, ମନ୍ଦିରରେ ବ୍ୟାପକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯାଉଥିବା ସେ କହିଥିଲେ । ୨୨ ତାରିଖ ସକାଳେ ସହରର ସମସ୍ତ ମନ୍ଦିର ଓ ମଠରେ ପୂଜାର୍ଚ୍ଚନା କରାଯିବ । ୨୨ ତାରିଖ ସକାଳୁ କୋଶଳ କଳାମଣ୍ଡଳ ପଡିଆରୁ ଏକ ଶୋଭାଯାତ୍ରା ବିଭିନ୍ନ ମଠ, ମନ୍ଦିର ଦେଇ ସହର ପରିକ୍ରମା କରିବ ବୋଲି କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ସୁଦାମ ସାହୁ, ରମେଶ ବେହେରା, ବୁଲୁ ବିଶୋଇ, ସର୍ଜନ ଆଚାର୍ଯ୍ୟ, ଅଜିତ ବେହେରା, ସରୋଜ ପଟ୍ଟନାୟକ, ଉଦିତ ଦାନୀ, ପ୍ରତାପ ସାହୁ, ସନ୍ତୋଷ ପାଣିଗ୍ରାହୀ, ନରେଶ ବେହେରା, ସରୋଜ ପଣ୍ଡା, ସିଲାଜିତ ସିଂଦେଓ, ଚିନ୍ମୟ ପ୍ରଧାନ, ସରସ୍ୱତୀ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 + ten =