csstore

ଖପ୍ରାଖୋଲ ଓଆଇସି ରମାକାନ୍ତ ସାହୁଙ୍କୁ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ

ଖପ୍ରାଖୋଲ, (ଅଶୋକ ବାଗ) : ଉଲ୍ଲେଖନୀୟ ସେବା ଏବଂ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ ସମ୍ପାଦନ ନିମନ୍ତେ ରାଜ୍ୟ ପୋଲିସ ପକ୍ଷରୁ ୨୦୨୨-୨୩ ବର୍ଷ ପାଇଁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଓଆଇସି ରମାକାନ୍ତ ସାହୁଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସମ୍ମାନ ଜନକ ଡିଜିପି ଡିସ୍କ ପୁରସ୍କାର ପ୍ରଦାନ କରିଛନ୍ତି । ଅଞ୍ଚଳକୁ ନକ୍ସଲାଇଟରୁ ମୁକ୍ତ କରିବା, କଫ ସିରପ ଚୋରା ଚାଲାଣ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ମାମଲା ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଶ୍ରୀ ସାହୁ । ଯାହା ବଲାଙ୍ଗିର ଜିଲ୍ଲା ସହ ଖପ୍ରାଖୋଲ ପୋଲିସ ପାଇଁ ସମ୍ମାନ ଏବଂ ଗୌରବ ଆଣିଛି । ଶ୍ରୀ ସାହୁ ଜଣେ ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ଅଟନ୍ତି । ସେ ଓଆଇସି ରୂପେ କାର୍ଯ୍ୟ ଭାର ଗ୍ରହଣ କରିବା ପରେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ମାତ୍ରା ହ୍ରାସ ପାଇଛି ।

ଶ୍ରୀ ସାହୁ ୨୦୧୩ ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗଦେଇଥିଲେ । ପୋଲିସ ବିଭାଗରେ ଯୋଗଦେଲା ପରେ ପ୍ରଥମେ କଟକ, ଅନୁଗୁଳ ଏବଂ ପରେ ସବ୍‌ ଇନ୍ସପେକ୍ଟର ରୂପେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା, ବଲାଙ୍ଗିର ଟାଉନ ଥାନାରେ କର୍ତ୍ତବ୍ୟ ନିଷ୍ଠା ସହ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ସେ ଗତ ୨୦୨୧ ମସିହା ଏପ୍ରିଲ ୪ ତାରିଖରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ଓଆଇସି ରୂପେ କାର୍ଯ୍ୟରେ ଯୋଗଦେଇ ଥିଲେ । ତେବେ ଶ୍ରୀ ସାହୁଙ୍କ ଦାୟିତ୍ୱବଦ୍ଧତା ଓ ଉତ୍ତମସେବା କାର୍ଯ୍ୟ ପାଇଁ ଆଜି ବିଭିନ୍ନ ମହଲରୁ ଶୁଭେଚ୍ଛା ଆସୁଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଅଧିକ ସ୍ୱଚ୍ଛଳ ଭାବମୂର୍ତି ସହିତ ଅଧିକ କାର୍ଯ୍ୟ କରିବାର ପ୍ରେରଣା ଯୋଗାଇବ ବୋଲି ସମ୍ମାନିତ ହୋଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି ।

jayashree
Leave A Reply

Your email address will not be published.