ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ସମ୍ବଲପୁର : ଟାଉନ ଥାନାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ଲକ୍ଷ୍ୟ ନେଇ ନିୟମିତ ରକ୍ତଦାନ ଶିବିର ମାନ ଆୟୋଜିତ ହୋଇ ଆସୁଛି । ଏହି କ୍ରମରେ ସମ୍ବଲପୁରର ଟାଉନ ଥାନା ପକ୍ଷରୁ ଶୁକ୍ରବାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମୋ ସରକାର ୫-ଟି ସେଲ ସମ୍ବଲପୁର ଦ୍ୱାରା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ଉଦ୍‌ଘାଟନ କରିଥିଲେ । ଥାନା ଅଧିକାରୀ ପ୍ରକାଶ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୧୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଡା. ମୌଶମୀ ମହାନ୍ତି, ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଓ ଅନ୍ୟ କର୍ମଚାରୀମାନେ ପରିଚାଳନା କରି ରକ୍ତ ସଂଗ୍ରହ କରିଥିଲେ । ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ଟାଉନ ଥାନାର ଏସଆଇ ଚିତ୍ତରଞ୍ଜନ ମେହେର, ବିଶ୍ୱନାଥ ଦେବତା, ତୁଷାର ସାହୁ, ଗଜିନ୍ଦ୍ର ମାଝୀ, ଅରୁଣ ମାଝୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହାୟତା କରିଥିଲେ । ଶିବିରକୁ ସାଥୀ ପରିବାର, ସମ୍ବଳ, ଏମେଜିଂ ୱେଲଫେୟାର ଫାଉଣ୍ଡେସନ ଓ ସ୍ଥାନୀୟ ଜନତା ସହାୟତା କରିଥିଲେ । ଏସ୍‌ଡିପିଓ ପ୍ରଦୀପ ସାହୁ ରକ୍ତଦାତାମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ । ରକ୍ତ ଅଭାବରେ କାହାରି ଜୀବନ ନଯାଉ ଲକ୍ଷ୍ୟ ନେଇ ଏହି ଶିବିର ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.