csstore

ଧନୁଯାତ୍ରାର ତୃତୀୟ ଦିବସ ରାଜଦରବାରରେ ଟିଟିଲାଗଡ ଉପଜିଲ୍ଲାପାଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ତୃତୀୟ ଦିବସରେ ପହଁଚିଛି । ପାତ୍ର, ମନ୍ତ୍ରୀ ସହ ବିରାଟ ପଟୁଆରରେ କଂସ ମହାରାଜ ରଙ୍ଗମଞ୍ଚକୁ ପହଞ୍ଚିବାପରେ ରାଜକାର୍ଯ୍ୟ ଆରମ୍ଭ ହୋଇଥିଲା । ତୃତୀୟ ରଜନୀରେ ରାଜ ଦରବାରକୁ ରାଜକୀୟ ଅତିଥିଭାବେ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ଲୋୟେର ଇନ୍ଦ୍ର ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ସୋମ୍ୟରଞ୍ଜନ ଜୟପୁରିଆ, ଏବିଡ଼ିଓ ସୁଶାନ୍ତ ପାଣି, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବ୍ଲକ ପଞ୍ଚାୟତ ଅଧିକାରୀ ପୁରୁଷୋତ୍ତମ ମାଝୀ ଯୋଗଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରାଜକୀୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ସମବାୟ ସମିତି ନିର୍ଦେଶକ ଲକ୍ଷ୍ମଣ ମେହେର, କଣ୍ଟାବାଞ୍ଜି ମାଟିର ମହୋତ୍ସବର ଅଧ୍ୟକ୍ଷ ବ୍ରଜଶ୍ୟାମ ଗୁରୁ, କଣ୍ଟାବାଞ୍ଜି ନଗର ବିଜେପି ସଭାପତି ବେଦବ୍ୟାସ ନାଗ, ଅଧ୍ୟାପକ ଡ. ସଞ୍ଜୟ ମିଶ୍ର, ପୂର୍ବତନ ସରପଞ୍ଚ ଅର୍ଜୁନ ଯାଦବ ପ୍ରମୁଖ ଯୋଗଦେଇଥିଲେ । ସଂଗ୍ରାମୀ ମାଟି, ଐତିହ୍ୟ ମାଟି ବଙ୍ଗୋମୁଣ୍ଡା ଅଞ୍ଚଳର କଳା, ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ଡ. ନାରାୟଣ ମିଶ୍ର ସଭା ସଂଯୋଜନା କରିଥିଲେ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପୌରାଣିକ କଥାବସ୍ତୁକୁ ନେଇ କଳାକାରଙ୍କ ନିଖୁଣ ଅଭିନୟ ବେଶ ଚିତ୍ତାକର୍ଷକ ହୋଇଥିଲା । ମହାରାଜ କଂସ ଭୂମିକାରେ ଅଭିନୟ କରୁଥିବା ପଶ୍ଚିମ ଓଡ଼ିଶାର ବରିଷ୍ଠ କଳାକାର ରବୀନ୍ଦ୍ର ସାହୁଙ୍କ ସଂଳାପ ଓ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଲୋକେ ଉପଭୋଗ କରିଥିଲେ । ରଙ୍ଗମଞ୍ଚରେ ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ, କାଳୀୟ ନାଗକୁ ଆଦେଶ, ରାଣୀପଦ୍ମାବତୀଙ୍କ ଧନଶ୍ରୀ ଓଷା, ରଙ୍ଗ ସଭା ଓ ଧନୁଯାତ୍ରା ଆରମ୍ଭ ଦୃଶ୍ୟ ଅଭିନୀତ ହୋଇଥିଲା ।

jayashree
Leave A Reply

Your email address will not be published.