ଶେଷ ହେଉନି ସମ୍ବଲପୁର- ଟିଟଲାଗଡ ରେଳ ଲାଇନ ଦୋହରିକରଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ ବରଗଡ଼) : ସମ୍ବଲପୁର ଟିଟଲାଗଡ ରେଳ ଲାଇନ ଦୋହରିକରଣ କାର୍ୟ୍ୟ ଦୀର୍ଘ ବର୍ଷ ଧରି ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି । ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଏହି କାର୍ୟ୍ୟ ଆରମ୍ଭ ହୋଇଛି । ତେବେ କାର୍ୟ୍ୟରେ ଶିତଳତା ଯୋଗୁଁ ଏହା ଶେଷ ହୋଇ ପାରୁନଥିବା ପରିଲକ୍ଷିତ ହେଉଛି । ଟିଟିଲାଗଡ଼ ପଟରୁ ଡୁଙ୍ଗୁରିପାଲି ପର୍ୟ୍ୟନ୍ତ ପ୍ରାୟ କାର୍ୟ୍ୟ ଶେଷ ହୋଇଥିବା ଏବଂ ଟ୍ରାଏଲ ରନିପ୍ସ କାର୍ୟ୍ୟ ସରିଥିବା ବେଳେ ବରଗଡ଼ ଜିଲ୍ଲା ବରପାଲିରୁ ସମ୍ବଲପୁର ପର୍ୟ୍ୟନ୍ତ ପ୍ରାୟ ୭୦ କିଲୋମିଟର ରାସ୍ତାର ଦୋହରିକରଣ ଚାଲିଛି । ବରପାଲିରୁ ବରଗଡ଼ ଏବଂ ବରଗଡ଼ରୁ ସମ୍ବଲପୁର ପର୍ୟ୍ୟନ୍ତ ଅନେକ ସ୍ଥାନରେ ମାଟି ପୋତା କାମ ମଧ୍ୟ ଆରମ୍ଭ ହୋଇପାରିନାହିଁ । ସେହିପରି ଷ୍ଟେସନ କାର୍ୟ୍ୟ ମଧ୍ୟ ମନ୍ତ୍ର ଗତିରେ ଚାଲିଛି । ରାସ୍ତା ମଧ୍ୟରେ ଥିବା ବ୍ରିଜ ନିର୍ମାଣ ଗୁଡ଼ିକ ମଧ୍ୟ ଅନେକ ସ୍ଥାନରେ ଆରମ୍ଭ ହୋଇପାରିନାହିଁ । ଏ ସମ୍ପର୍କରେ ନିର୍ମାଣ କାର୍ୟ୍ୟରେ ନିୟୋଜିତ ଠିକା ସଂସ୍ଥାକୁ ପଚରା ଯିବାରୁ ଅନେକ ସ୍ଥାନରେ ଜମି ଜବରଦଖଲ ଉଚ୍ଛେଦ ହୋଇପାରିନଥିବା ଏବଂ ରେଳ ବିଭାଗ ପକ୍ଷରୁ ଜମି ହସ୍ତାନ୍ତର କରାଯାଉ ନଥିବାରୁ କାର୍ୟ୍ୟରେ ବିଳମ୍ବ ହେଉଛି । ଚଳିତ ବର୍ଷ ରେଳ ବଜେଟରେ ଦୋହରିକରଣ କାର୍ୟ୍ୟ ପାଇଁ ଦୁଇ ଶହ କୋଟି ଟଙ୍କା ଅନୁଦାନ କରାଯାଇଛି । ହେଲେ ବିଭାଗୀୟ ଅବହେଳା ତତ୍ପରତା ଅଭାବ ଯୋଗୁଁ ଏହାର ଶେଷ ହେବାରେ ବିଳମ୍ୱ ହେଉଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.