ପୂର୍ତ୍ତ ବିଭାଗର ମନ୍ଥର କାମ : ଅଂଚଳବାସୀ ହଇରାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୨୦୧୪ ମସିହାରେ ପଶ୍ଚିମ ଓଡିଶାର ଗଣପର୍ବ ଓ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିକେ ଓ ପଶ୍ଚିମ ଓଡିଶାବାସୀ ସିଧା ସଳଖ ରାଜ୍ୟରେ ଯୋଗାଯୋଗ କରିବା ପାଇଁ ନୂଆଁଖାଇ ଭେଟି ସ୍ୱରୂପ ଚଉତିରିଶି କୋଟି ଟଙ୍କାର ଅଟକଳ ବ୍ୟୟରେ ବିଜୁ ଏକ୍ସପ୍ରେସ ୱେ ନାମରେ ନାମିତ କରି ଏସଏସ -୩ ସୋହେଲା ଠାରୁ ବରିଗୁମ୍ମା ପର୍ୟ୍ୟନ୍ତ ଦୁଇ ଲାଇନ୍ ବିଶିଷ୍ଟ ପିଡବ୍ଲୁଡି ରାସ୍ତା ନିର୍ମାଣ ଯୋଜନା କାର୍ୟ୍ୟକାରୀ କଲେ । ସୋହେଲା ଠାରୁ ନୂଆପଡା ଭାୟା ପଦ୍ମପୁର ରାସ୍ତା କାମ ବର୍ତ୍ତମାନ ଚାଲୁଅଛି । ଆଜକୁ ପ୍ରାୟ ୬ ବର୍ଷ ବିତି ଯାଇଥିଲେ ସୁଦ୍ଧା କାମଟି ସମ୍ପୁର୍ଣ୍ଣ ହୋଇ ପାରୁନାହିଁ । ସମ୍ପୂର୍ଣ୍ଣ ହେବା ବିଷୟକୁ ବିଭାଗ ଭୁଲିଯାଉ, ନିର୍ମାଣଧୀନରେ ଥିବା ରାସ୍ତାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏମିତି କି ରାସ୍ତାରେ ପିଚୁ ହୋଇଥିବା ସିଲେକୋଟ, ଚିପସ, ମେଟାଲ ଉଠିବାରେ ଲାଗିଲାଣି ଓ ସୃଷ୍ଟି ହୋଇଥିବା ଖାଲରେ କ୍ରସର୍‌ ପଥର ଗୁଣ୍ଡ ପକାଇ ଦେଇଥିବାରୁ ପଥଯାତ୍ରୀମାନଙ୍କ ଆଖିରେ ପଶି ଦୁର୍ଘଟଣା ସୃଷ୍ଟି କରୁଅଛି । ବିଭାଗୀୟ ପଦାଧିକାରୀ ଓ ଠିକାଦାର, ସରକାରଙ୍କ ଉତ୍ତମ ଅର୍ଥ ବୁଝାମଣାରେ ସାଧାରଣ ଜନତା ପେସୀ ହେଉଥିବାର ଆଲୋଚନା ହୁଏ । କେଉଁଠି ବ୍ରିଜ୍‌ ସାଇଟ ଦବି ଯାଇଛି ତ କେଉଁଠି ଡିଭାଇଡ଼୍‌ ୱାଲ୍‌ ସାଇଟ୍‌ ୱାଲ୍‌ ଭାଙ୍ଗି ଯାଉଅଛି । ଏଯାଏଁ ବିଜ୍ର କାମଗୁଡିକ ଅଧୁରା ଅଛି । ଚାଷୀଙ୍କ ଚାଷ ଜମିରେ ପକାଇ ରଖିଥିବା କଂକ୍ରିଟ୍ ଖଣ୍ଡ, ପିଚୁ ଖଣ୍ଡ ଏଯାଏଁ ଠିକାଦାର ଉଠାଇ ପାରୁନାହିଁ । ଫଳରେ ରାସ୍ତା ନିକଟସ୍ଥ ଚାଷୀ ଚାଷ କରି ପାରୁନାହିଁ । ଏହା କଣ ବିଭାଗୀୟ ପ୍ରଶାସନ ଓ ସଂସ୍ଥାର ମଧୁଚନ୍ଦ୍ରିକା ନୁହେଁ କି,ଏହା କଣ ଅର୍ଥ ଲୋଭ ପାଉଣାର ଉତ୍ତମ ବୁଝାମଣା ନୁହେଁ କି, ଏମିତି ଅନେକ ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ ।

Leave A Reply

Your email address will not be published.