jayashree

ମା’ ଶ୍ୟାମାକାଳୀଙ୍କ ନିକଟରେ ଲାଗି ହେଲା କାକରା ଭୋଗ, ଭକ୍ତଙ୍କ ସମାଗମରେ ମୁଖରିତ କାଳୀ ମଣ୍ଡପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନପଡ଼ା ସ୍ଥିତ କାଳୀ ମଣ୍ଡପରେ ଚାଲିଥିବା ମା’ ଶ୍ୟାମା କାଳୀଙ୍କ ପୂଜନୋତ୍ସବର ଦ୍ୱିତୀୟ ଦିବସ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପକ୍ଷରୁ ମା’ଙ୍କ ନିକଟରେ ପାରମ୍ପରିକ କାକରା ଭୋଗ ଅର୍ପଣ କରାଯାଇଥିଲା । ପ୍ରବଳ ଭକ୍ତଙ୍କ ସମାଗମ ମଧ୍ୟରେ ରାତି ୧୦ଟାରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ଭୋଗ ଲାଗି କରାଯାଇଥିଲା । ଦିନର ପ୍ରାରମ୍ଭରେ ହୋମଯଜ୍ଞ ସହ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା । ଏହାପରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ପଡ଼ାର ବୟୋଜ୍‌ୟେଷ୍ଠ ବ୍ୟକ୍ତିମାନଙ୍କୁ ଉପଢୌକନ ଓ ସମ୍ମାନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ପଦ୍ମପୁର ଏନ୍‌‌ଏସିର ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକଙ୍କ କରକମଳରେ ଏକ ଆକର୍ଷଣୀୟ ସେଲ୍‌‌ଫି ପଏଣ୍ଟ ଉଦ୍‌‌ଘାଟିତ ହୋଇଥିଲା । ଏହି ସେଲ୍‌‌ଫି ପଏଣ୍ଟରେ ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଓ ଭିଡ଼ ପରିଲକ୍ଷିତ ହୋଇଥିଲା । ସେହିପରି ରାତି ୮ଟାରେ ତାଲଶିରାର କୃଷ୍ଣଗୁରୁ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଭଜନ ପରିବେଷଣକୁ ମନଭରି ଉପଭୋଗ କରିଥିଲେ । ଭକ୍ତମାନଙ୍କ ପାଇଁ ଅନ୍ନଭୋଗର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ସଫଳ ଓ ଶୃଙ୍ଖଳିତ କରିବାରେ କାଳୀ ପୂଜା କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ । ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ପରିବେଶରେ ପୂଜନୋତ୍ସବର ଦ୍ୱିତୀୟ ଦିବସ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.