jayashree

ସୋନପୁର ମଝିପଡ଼ା ଠାରେ ୫୮ତମ ସାର୍ବଜନୀନ କାଳୀ ପୂଜା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ମଝିପଡ଼ା ଠାରେ ରାମଧୂନ କ୍ଲବ ଆନୁକୂଲ୍ୟରେ ସାର୍ବଜନୀନ ୫୮ ତମ ମହାକାଳୀ ପୂଜା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ମହାନଦୀ ଦଶମତୀଘାଟ ଠାରେ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା ପରେ ପୂଜା କମିଟିର ସଦସ୍ୟଙ୍କ ଦ୍ୱାରା ଏକ ବିରାଟ ଶୋଭାଯାତ୍ରାରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପରେ ପହଞ୍ଚିଥିଲା । ପରେ ଅମାବାସ୍ୟା ରାତ୍ରୀରେ ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପାରମ୍ପରିକ ରୀତିନୀତି, ଷୋଡ଼ଶ ଉପଚାର ପୂଜା, ହୋମଯଜ୍ଞ ସହିତ ବାଦ୍ୟ ସମେତ ମା’ଙ୍କୁ ଆବାହନ କରାଯାଇଥିଲା । ବିଗତ ୫୭ ବର୍ଷ ହେବ ମଝିପଡ଼ାର ସମସ୍ତ ବାସିନ୍ଦା ମିଳିତ ଭାବରେ ଏହି ପୂଜା କରିଥାନ୍ତି । ଚଳିତ ବର୍ଷ କର୍ତ୍ତା ଭାବରେ ପଲ୍ଲବ କୁମାର ପଣ୍ଡା ପୂଜାରେ ଭାଗ ନେଇଥିବା ବେଳେ ପୂଜକ ଦୀପକ ପୁରୋହିତ(ବୁଲୁ) ରୀତିନୀତିରେ ମା’ କାଳୀଙ୍କ ପୂଜା ଓ ଯଜ୍ଞ ପରିଚାଳନା କରିଥିଲେ । ଏହି ଅବସରରେ ମଝିପଡ଼ା ସମେତ ସାରା ସହର ପୂଜାର ସାଜସଜ୍ଵା ଓ ମା’ଙ୍କ ଦର୍ଶନ ପାଇଁ ଚଳଚଞ୍ଚଳ ହୋଇଉଠିଛି । ଆକର୍ଷଣୀୟ ମେଢ଼ ସହିତ ବିଭିନ୍ନ ଆଲୋକ ମାଳାରେ ମା’ଙ୍କ ମଣ୍ଡପକୁ ସଜ୍ଜିତ କରାଯାଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀ ସହ ପ୍ରସାଦର ବ୍ୟବସ୍ଥା କରାଯାଇଥିବା ଏବଂ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯିବ ବୋଲି ଚଳିତ ବର୍ଷ କାଳୀପୂଜାର ସଭାପତି ପୁରେନ୍ଦ୍ର ନାଏକ, ସମ୍ପାଦକ ସୁରଜ ସାହୁ, ଉପସଭାପତି ଆକାଶ ମିଶ୍ର, କୋଷାଧ୍ୟକ୍ଷ ବୁବୁନ ନାଏକ ସୂଚନା ଦେଇଛନ୍ତି । ଏହି ଅବସରରେ ଭକ୍ତ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଆସନ୍ତା ୧୩ ତାରିଖ ଦିନ ପୂଜା କମିଟି ପକ୍ଷରୁ ଯମୁନା ଭୋଇଙ୍କ କୀର୍ତ୍ତନ ବୈଠକି, ୧୪ରେ ଡାନ୍ସ ପ୍ରତିଯୋଗିତା, ୧୬ ତାରିଖ ଦିନ ଉମାକାନ୍ତ ବାରିକଙ୍କ ସମ୍ବଲପୁରୀ ଅର୍କେଷ୍ଟ୍ରା, ୧୮ରେ ଶାଶ୍ୱତ ତ୍ରିପାଠୀ ଓ ପଦ୍ମିନୀ ଦୋରାଙ୍କ ସମ୍ବଲପୁରୀ ଅର୍କେଷ୍ଟ୍ରା ଅନୁଷ୍ଠିତ ହେବ । ଅନୁଷ୍ଠାନର ସଦସ୍ୟ ପିୟୁଷ କୁମାର ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ଦିଲ୍ଲୀପ ସାହୁ, ବିକାଶ ପାଢ଼ୀ, ରଞ୍ଜୁ ସାହୁ, ରିପୁନ ନାଏକ, ସିପୁନ ନାଏକ, ଅମିତ ସାହୁ, ମଦନ ସାହୁଙ୍କ ସମେତ ସମସ୍ତ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.