
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପ୍ରାଣୀ ଚିକିତ୍ସାଳୟ ପରିସରରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ବଳଦ ଓ ଗାଈମାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥିଲା ଓ ରକ୍ଷା ବନ୍ଧନର ପରମ୍ପରା ମଧ୍ୟ ନିର୍ବାହନ କରାଯାଇଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କର ସୌଜନ୍ୟତାରୁ ରାଜ୍ୟ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ କୃଷକ ବିକାଶ ସମବାୟ ସମିତି ଲିଃ, ଓଡ଼ିଶାର ମିଳିତ ଉଦ୍ୟମରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ବିୟୋଗରେ ଦୁଇ ମିନିଟ ନିର୍ବାଚନ ପ୍ରାଥନା କରାଯାଇଥିଲା । ବରଗଡ ସିଡ଼ିଭିଓ ଡା. ଶୋଭନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ କୃଷକ ଓ ବୈଜ୍ଞାନିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ଦୃଶ୍ୟପଟ୍ଟରେ ପ୍ରାଣୀ ସମ୍ପଦ ଉପରେ ପ୍ରଭାବ ଓ ଏହାର ପ୍ରତିକାର ଉପରେ ଆଲୋକପାତ କରାଯାଇଥିଲା । ଚାଷ, ସମାଜସେବା, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତି ଏବଂ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶା ରାଜ୍ୟ କୃଷକ ବିକାଶ ସମବାୟ ସମିତି ଲିଃ ଓଡ଼ିଶାର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବରେ ମାଣ୍ଡୋସିଲ ମହା ବିଦ୍ୟାଳୟର ଅଧ୍ୟାପକ ତଥା ସଂସ୍କୃତିବିତ୍ ସନ୍ତୋଷ ସିଂହ ଠାକୁର ସମ୍ବୋଧନ କରିଥିଲେ । ସରୋଜିନୀ ପ୍ରଶନ କୁଲ୍ଲୁ, ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର (ବରଗଡ଼) ଏହି ସଭାର ମୁଖ୍ୟ ଅତିଥି ଥିଲେ । ଏବଂ ବୈଜ୍ଞାନିକ ଭାବରେ ପଲିଟେକନିକ୍ ମହାବିଦ୍ୟାଳୟ ଚିପିଲିମାରେ ଅଧ୍ୟକ୍ଷ ଡ଼ା. ମାନସ ରଞ୍ଜନ ସେନାପତି, ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶାଳୟ କଟକର ପୂର୍ବତନ ଅତରିକ୍ତ ନିର୍ଦ୍ଦେଶକ ଡ଼ା. ଗିରିଧାରୀ ଭୋଇ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ବରଗଡ଼), ଡ଼ା. ଅକ୍ଷୟ କୁମାର ମହାଳିକ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ପଦ୍ମପୁର, ଡ଼ା. ଆଚାର୍ଯ୍ୟ ଚନ୍ଦ୍ରକାନ୍ତ ପାଟ୍ଟଯୋଷୀ ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବରେ ସୁରେନ୍ଦ୍ର ସିଂ ବରିହା, ଜିଲ୍ଲା ପରିଷଦ ସଦସ୍ୟ ପାଇକମାଲ, ଜିଲ୍ଲା ନିବନ୍ଧକ ସମବାୟ ସମିତି ସମୂହ, ବରଗଡ଼ ଯୁଗଳ କିଶୋର ଦାସ ଯୋଗଦାନ କରିଥିଲେ । ପାଇକମାଲ ବିଭିଓ ଡା. ସନ୍ତୋଷ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।