ୟୁରୋ ସ୍କୁଲର ତୃତୀୟ ବାର୍ଷିକ କ୍ରୀଡା ସାମାରୋହରେ କୃତି କୁନି ଖେଳାଳିମାନେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରା ପୁରସ୍କୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ-ସ୍କୁଲର ଦୁଇ ଦିନିଆ କ୍ରୀଡା ସାମାରୋହ ଛତ୍ରପୁର ଷ୍ଟାଡିୟମ ପରିସରରେ ଆୟୋଜିତ ହୋଇଯାଇଛି । ମଙ୍ଗଳବାର ତୃତୀୟ ବାର୍ଷିକ କ୍ରୀଡାର ଉଦ୍‌ଘାଟନୀ ସାମାରୋହରେ ଦି-ନ୍ୟୁଉ ଏଇଜ୍ ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର ପୌରାହିତ୍ୟ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରି କୁନି କୁନି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହିତ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ପାଠ ଏବଂ ଖେଳ ସହ ବିଭିନ୍ନ କ୍ଷେତ୍ରରେ ସ୍କୁଲର ସୁନାମ ଆଣିବା ନିମନ୍ତେ ଶ୍ରୀ ରାଏ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ସ୍କୁଲର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ଖେଳ ପ୍ରତିଯୋଗିତାର କୃତିତ୍ୱ ଅର୍ଜନ କରିଥିବା କୁନି ଖେଳାଳିମାନଙ୍କୁ ମୁଖ୍ୟ ଅତିଥି ଗଞ୍ଜାମ ଏସ୍‌ପି ଶ୍ରୀ ରାୟ ପୁରସ୍କାର ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସ୍କୁଲର ପ୍ରିନ୍ସପାଲ ପ୍ରମୋଦ କୁମାର ମିଶ୍ର, କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ଗୌଡଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.

15 + 19 =

error: Content is protected !!