ପ୍ରେମିକ ଅନ୍ଧ ଜାଣି ସୁଦ୍ଧା ବିବାହ ବନ୍ଧନରେ ଛନ୍ଦି ହେଲେ ପ୍ରେମିକା ଚାନ୍ଦିନୀ

ପାଟଣାଗଡ଼, (ଗୋରେଖନାଥ ବରିହା) : କଥାରେ ଅଛି, ପ୍ରେମ ଦେଖେ ନାହିଁ ଚେହେରା…. ସଦା ଖୋଜୁଥାଏ ଏକ ସୁନ୍ଦର ହୃଦୟ । ଏହି କଥ୍ୟଟି ସତ୍ୟ ଭାବେ ପ୍ରମାଣିତ ହୋଇଛି ଏହି ସୂଚନାରେ । ଶେଷରେ ଜଣେ ଅନ୍ଧ ଯୁବକଙ୍କୁ ନିଜ ଜୀବନ ସାଥୀ ଭାବେ ବାଛି ନେଇଛନ୍ତି ପ୍ରେମିକା । ଦୁହେଁ ଦୁହିଁଙ୍କ ଗଳାରେ ବରଣ ମାଳା ପିନ୍ଧାଇ, ଗ୍ରାମବାସୀ ପାଖରୁ ଆଶୀର୍ବାଦ ବି ନେଉଥିବା ଘଟଣା ଦେଖିବାକୁ ମିଳିଛି । ପାଟଣାଗଡ଼ ଉପଖଣ୍ଡ ମୁଣ୍ଡୋମହୁଲ ଗ୍ରାମରେ ଦେଖିବାକୁ ମିଳିଛି ଏହି ବାହାଘର । ଜଣେ ବିକଳାଙ୍ଗ ଅନ୍ଧ ଯୁବକ ଜାଣିବା ପରେ ବି ଜନ୍ମ ଜନ୍ମର ସାଥୀ ହେବାକୁ ବାହା ହୋଇଛନ୍ତି । ସୂଚନା ଅନୁସାରେ ମୁଣ୍ଡମହୁଲ ଗାଁର ଦିଲୀପ ତାଣ୍ଡି, ଜନ୍ମରୁ ଆଖିରେ ଭଲ ଭାବରେ ଦେଖି ପାରନ୍ତି ନାହିଁ । ନିଜର ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ଭରସା କରୁଛନ୍ତି । କିନ୍ତୁ ଏବେ ସେ ଆଉ କାହାକୁ ଭରସା କରିବେ ନାହିଁ । ତାଙ୍କ ଦେଖାରଖା କରିବା ପାଇଁ ତାଙ୍କୁ ମିଳି ଯାଇଛି ତାଙ୍କର ପତ୍ନୀ ଚାନ୍ଦିନୀ । ଏହାକୁ ନେଇ ଦିଲୀପଙ୍କ ପରିବାର ସମସ୍ତେ ଖୁବ ଖୁସିରେ ଅଛନ୍ତି । ଜଣାପଡ଼ିଛି ଯେ, ଚାନ୍ଦିନୀ ଆଉ ଦିଲୀପର ସମ୍ପର୍କ ଗୋଟିଏ ମିସ୍‌ କଲ୍‌ରୁ ଆରମ୍ଭ ହେଲା । ଦିନେ ଦିଲୀପ ମୋବାଇଲରେ ଏକ ଅଜଣା ନମ୍ବରକୁ ମିସ୍‌ କଲ୍‌ କରିଦେଇଥିଲେ । ଡାଏଲ କରିବାର କିଛି ଘଣ୍ଟା ପରେ ସେପଟୁ ଏକ କଲ୍‌ ଆସିଲା, ଦୁହେଁ କଥାବାର୍ତ୍ତା ହେଲେ । ଧୀରେ ଧୀରେ ବଢ଼ି ଚାଲିଲା ସମ୍ପର୍କ, ଆହୁରି ଆହୁରି ବଢ଼ିଲା । ସମ୍ବଲପୁର ଜିଲ୍ଲାର ବୁଡା ଅଞ୍ଚଳର ଚାନ୍ଦିନୀ ଜାଣି ନଥିଲେ ଯେ, ସେ ଯାହା ସହ କଥାବାର୍ତ୍ତା କରୁଛନ୍ତି ସେ ଜଣେ ଅନ୍ଧ, ତାଙ୍କ ଆଖିକୁ କିଛି ଦେଖାଯାଏ ନାହିଁ ବୋଲି । କିନ୍ତୁ ସମ୍ପର୍କ ଭିତରେ ଦୁହେଁ ଦୁହେଁଙ୍କୁ ଭଲ ପାଇ ବସିଲେ ଏବଂ ଦିନେ ଚାନ୍ଦିନୀ ଦିଲୀପଙ୍କୁ ଦେଖିବା ପାଇଁ ନିଜ ଗାଁକୁ ଡାକିଥିଲେ । ଦିଲୀପ ନିଜ ସାଙ୍ଗ ସହିତ ଚାନ୍ଦିନୀଙ୍କ ଗାଁକୁ ବି ଯାଇଥିଲେ । ଦୁହେଁ ଦୁହେଁଙ୍କୁ ସାକ୍ଷାତ ହେବାପରେ ଦୁହିଁଙ୍କ ମଧ୍ୟରେ ଆହୁରି ସମ୍ପର୍କ ଗଢି ଉଠିଲା । ଶେଷରେ ସେମାନେ ଜୀବନ ସାଥୀ ହେବାକୁ ନିଷ୍ପତି ନେଇଥିଲେ । ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଉଭୟ ପରିବାର ରାଜି ହେବାରୁ ପାଟଣାଗଡ଼ କୋର୍ଟକୁ ଯାଇ ଦୁହେଁ ଦୁହିଁଙ୍କୁ ରେଜିଷ୍ଟ୍ରି ମେରେଜ କରିଛନ୍ତି । ଏହାକୁ ନେଇ ଦିଲୀପ ଓ ଚାନ୍ଦିନୀ ଖୁସି ଥିବାବେଳେ ସମାଜ ପାଇଁ ଚାନ୍ଦିନୀ ଏକ ଉଦାହରଣ ବୋଲି କହିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.

1 × 2 =

error: Content is protected !!