
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଧନ୍ଦାମୂଳକ ସ୍ରୋତର ପର୍ଯ୍ୟଟନ ଓ ଅତିଥି ସେବା ବିଭାଗର ଏକ ନବନିର୍ମିତ ଅତ୍ୟାଧୁନିକ ପ୍ରୟୋଗଶାଳା “ଦମ୍ପୁର୍ ରେଷ୍ଟୁରାଣ୍ଟ” ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦାଙ୍କ କରକମଳରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଆତିଥ୍ୟ ସେବା ଏବଂ ରନ୍ଧନ କଳା କ୍ଷେତ୍ରରେ ବ୍ୟାବହାରିକ ତଥା ଶିଳ୍ପ-ମାନକ ପ୍ରଶିକ୍ଷଣ ଦେବା ଦିଗରେ ଏହି ପ୍ରୟୋଗଶାଳା ଏକ ମାଇଲଖୁଣ୍ଟ ସାଜିବ । ଏହି କାର୍ଯ୍ୟକ୍ରମଟି ଧନ୍ଦାମୂଳକ ସ୍ରୋତର ମୁଖ୍ୟ ଅଧ୍ୟାପକ ବିଶ୍ୱରାଜ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବେଧାନରେ ପରିଚାଳିତ ହୋଇଥିବାବେଳେ ଅଧ୍ୟାପକ ଜଗବନ୍ଧୁ ସୁରୁଜାଲ ଏଥିରେ ସହଯୋଗ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ପ୍ରାଧ୍ୟାପକ ତାରାପ୍ରସାଦ ଶତପଥୀ, ପ୍ରଭାତ କୁମାର ମହାପାତ୍ର, ପ୍ରମୋଦ କୁମାର ତ୍ରିପାଠୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବଶେଷରେ, ରେଷ୍ଟୁରାଣ୍ଟ ପରିସରରେ ଛାତ୍ରଛାତ୍ରୀମାନଙ୍କ ନିଜ ହାତରେ ପ୍ରସ୍ତୁତ ବିଭିନ୍ନ ଆକର୍ଷକ ମୃଦୁ ପାନୀୟ ଓ ଜଳଖିଆ ଅତିଥିମାନଙ୍କୁ ଆଦରର ସହ ପରସା ଯାଇଥିଲା, ଯାହାକି ଉପସ୍ଥିତ ସମସ୍ତଙ୍କ ମନ ମୋହିବା ସହ ଏକ ହୃଦୟସ୍ପର୍ଶୀ ପରିବେଶ ସୃଷ୍ଟି କରିଥିଲା ।