jayashree

ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନାସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଶନିବାର ଶିଶୁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବୁଲୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିଶୁ ଦିବସ ସମାରୋହରେ ଅବସରପ୍ରାପ୍ତ ଶିକ୍ଷକ ଟିକେଲାଲ ସାହୁ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ଚନ୍ଦ୍ର ନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଶିକ୍ଷୟିତ୍ରୀ ଶ୍ରୀମତୀ ଚଞ୍ଚଳା ସାହୁ, ସୁଶ୍ରୀ ନେହା ସାହୁ, ଅତିଥି ଶିକ୍ଷକ ଅକ୍ଷୟ କୁମାର ବେହେରା, ଲେଖ୍ରୁ ବାରିକ ଓ ନିରଞ୍ଜନ ସାହୁଙ୍କ ସମେତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀ ଶିକ୍ଷକ ବାବୁଲୁ ଭୋଇ ଓ ସୁଶ୍ରୀ ଲୋଚନା ସାହୁ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀମାନେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ, ଆଦର୍ଶ ଏବଂ ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ଓ ଭଲପାଇବାକୁ ନେଇ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଓ ସମ୍ମାନିତ ଅତିଥି ଶ୍ରୀ ନାଥ ପଣ୍ଡିତ ନେହେରୁଙ୍କ ଜୀବନୀ, ଆଦର୍ଶ ଓ ଶିଶୁମାନଙ୍କ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ପରିଶେଷରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ସ୍କୁଲ ବ୍ୟାଗ୍ ପାଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.