jayashree

ପ୍ରଚାରରେ କମ୍ପୁଛି ଗାଁରୁ ସହର : ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମେ ୨୦ ତାରିଖରେ ହେବାକୁ ଥିବା ମତଦାନ ପାଇଁ ଜୋର୍‌ଦାର୍‌ ଚାଲିଛି ପ୍ରଚାର । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡ଼ା ୮୨ ନଂ. ବିଧାନସଭା ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ପକ୍ଷରୁ ଚକ୍ରମଣି କହଁର, କଂଗ୍ରେସରୁ ଉପେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ କଳ୍ପନା କହଁର ହୋଇଥିବା ବେଳେ ନ୍ୟାସ୍‌ନାଲ୍‌ ଅପନୀ ପାର୍ଟି ତରଫରୁ ପ୍ରାର୍ଥୀ ଜୟସିଂ ମଲ୍ଲିକ ଏବଂ ମାନସ ଲୋକ ଶକ୍ତି ଦଳ ତରଫରୁ ଅଜୟ କୁମାର ମଲ୍ଲିକ ଅବତୀର୍ଣ୍ଣ ହୋଇଛନ୍ତି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଚଳିତ ଥର ବିଜେଡି ଦ୍ୱିତୀୟ ଥର ପାଇଁ ଚକ୍ରମଣିଙ୍କୁ ଭରସା କରି ଟିକଟ୍‌ ଦେଇଥିବା ବେଳେ ବିଜେପି ଓ କଂଗ୍ରେସ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀଙ୍କୁ ଦେଇ ମୈଦାନକୁ ଓହ୍ଲାଇବା ସହ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଜୋର୍‌ଦାର୍‌ କସରତ ଆରମ୍ଭ କରିଛନ୍ତି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ଅଭିଯାନକୁ ଜୋର୍‌ଦାର୍‌ କରିଥିବା ବେଳେ ଭୋଟର ମାନଙ୍କ ଦ୍ୱାର ଦ୍ୱାର ବୁଲି ନିଜ ସପକ୍ଷରେ ସମର୍ଥନ ଯୋଗାଡରେ ବ୍ୟସ୍ତ ରହିଛନ୍ତି । ଏଥର ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସ୍ପଷ୍ଟ ହୋଇସାରିଥିବା ବେଳେ, ଏଥର ଭୋଟର କିନ୍ତୁ ଅଧିକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ଭୋଟରମାନେ ପ୍ରାର୍ଥୀଙ୍କ ଯୋଗ୍ୟତା, ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟ, ହୋଇପାରିନଥିବା କାର୍ଯ୍ୟ, ଗ୍ରାମର ସମସ୍ୟା, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଫଳତା ବିଫଳତା ନେଇ ପ୍ରାର୍ଥୀମାନଙ୍କ ସହିତ ସିଧାସଳଖ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଭୋଟ୍‌ ଭିକ୍ଷା ପାଇଁ ଯାଉଥିବା ପ୍ରାର୍ଥୀ କିମ୍ବା ତାଙ୍କର ସମର୍ଥକ ସରପଞ୍ଚ, ସମିତି ସଦସ୍ୟଙ୍କୁ ଗ୍ରାମର ସମସ୍ୟା ସମାଧାନ କେବେ ହେବ ବୋଲି ସିଧାସଳଖ ପଚାରୁଛନ୍ତି । ଯଦିଓ ଭୋଟବେଳେ ଅର୍ଥ ନେଣଦେଣ ଏକ ସାଧାରଣ ଘଟଣା ହୋଇସାରିଲାଣି, ଏଥର କିନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ବାଲିଗୁଡା ଭୋଟରଙ୍କ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଛି । ସହରାଞ୍ଚଳର ଭୋଟରମାନେ ଅଧିକ ସଚେତନ ସହିତ କୌଣସି ପ୍ରାର୍ଥୀଙ୍କ ସପକ୍ଷ କି ବିପକ୍ଷରେ ସିଧସାଳଖ ପାଟି ଖୋଲୁନଥିବାବେଳେ ପ୍ରାର୍ଥୀମାନେ ଗ୍ରାମାଞ୍ଚଳକୁ ଅଧିକ ଫୋକସ୍‌ କରୁଥିବା ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥୀ ଭାବରେ ଏଠାରୁ ପ୍ରଥମ ଥର ବିଜୟୀ ହୋଇ ଚକ୍ରମଣି କହଁରଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଥିବା ବେଳେ ସେ ନିଜ ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଆଧାର କରି ଦୀର୍ଘବର୍ଷର ରାଜନୈତିକ ଅଭିଜ୍ଞତା ଓ ରଣ କୌଶଳରେ ବିରୋଧୀଙ୍କୁ ମତଦେଇ ବିଜୟର ଡବଲ୍‌ ହାଟ୍ରିକ ଲଗାଇବା ପାଇଁ ଦିନ ରାତି ଏକ କରି ନିର୍ବାଚନ ମଇଦାନରେ ବ୍ୟସ୍ତ ରହିଛନ୍ତି । ସେହିପରି ପ୍ରମୁଖ ବିରୋଧୀ ଦଳ ବିଜେପି ଏଠାରେ ମହିଳା କାର୍ଡ ଖେଳି ରାଜନୀତିରେ ପ୍ରଥମେ ପାଦ ଥାପି ଥିବା ନୂତନ ମହିଳା ପ୍ରାର୍ଥୀ ଭାବେ କଳ୍ପନା କହଁରଙ୍କୁ ସୁଯୋଗ ଦେଇଛି । ଗତ ୨୦୧୪ ନିର୍ବାଚନରେ ବିଜେଡି ତରଫରୁ ରାଜୀବ ପାତ୍ର ୩୭ ହଜାର ୬୦୬ ଭୋଟ୍‌ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର କ୍ଳେଶ ପ୍ରଧାନ ୩୪ ହଜାର ୯୧୦ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନ ଓ ବିଜେପିର କରେନ୍ଦ୍ର ମାଝୀ ୧୮ ହଜାର ୧୦୩ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ । ଏଥିରେ ବିଜେଡିର ରାଜୀବ ପାତ୍ର ୨୬୯୬ଟି ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ ନିର୍ବାଚନରେ ବିଜେଡିର ଚକ୍ରମଣି ୪୩ ହଜାର ୧୭୫ ଖଣ୍ଡ ଭୋଟ୍‌ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସିମନ ମଲ୍ଲିକ ୩୬ ହଜାର ୨୬୫ ଖଣ୍ଡ ଭୋଟ୍ ପାଇଁ ଦ୍ୱିତୀୟ ସ୍ଥାନ ଓ ବିଜେପିର କରେନ୍ଦ୍ର ମାଝୀ ୨୫ ହଜାର ୨୧୭ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ । ଏଥିରେ ବିଜେଡିର ଚକ୍ରମଣି କହଁର ୬୯୧୦ଟି ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇ ନିର୍ବାଚିତ ହୋଇଥିଲେ । ୨୦୧୪ ଓ ୨୦୧୯ ନିର୍ବାଚନର ଗଣନାକୁ ଲକ୍ଷ୍ୟ କଲେ କଂଗ୍ରେସ ଦ୍ୱିତୀୟ ସ୍ଥାନ ଓ ବିଜେପି ତୃତୀୟ ସ୍ଥାନରେ ରହି ଆସିଛି । ଏଥି ମଧ୍ୟରେ ପ୍ରଥମେ ପାଣ୍ଡିଆନ ଓ ପରେ ମୋଦିଜୀ ଆସି ପ୍ରଚାର କାର୍ଯ୍ୟ ସରାଇ ଗଲେଣି । କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କେହି ଷ୍ଟାର୍‌ ପ୍ରଚାରକ ଆସି ନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାୱା ଯୁବ ପିଢିର ଭୋଟରଙ୍କୁ ଅଧିକ ଆକର୍ଷିତ କରୁଥିବାବେଳେ ଏହା ତାଙ୍କୁ ସଫଳ କରାଇବ ବୋଲି ବିଜେପି ଆଶାବାଦୀ ଅଛି । ସେହିପରି ନିଜର ଆମାୟିକ ବ୍ୟବହାର ଓ ଜଣେ ଦକ୍ଷ ବ୍ୟକ୍ତିତ୍ୱ ଭାବରେ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ଛବି ସୃଷ୍ଟି କରିବାରେ ସଫଳ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଲଢୁଆ ରଣନୀତି ସହିତ ଏଥର ନିର୍ବାଚନର ଫୋକସ୍‌ରେ ରହିଛନ୍ତି । ତାଙ୍କର ନିର୍ବାଚନ ପ୍ରଚାର ଶୈଳୀ ଅନ୍ୟ ଦଳ ଠାରୁ ଚର୍ଚ୍ଚାରେ ରହିଥିବାବେଳେ ନିର୍ବାଚନ ମଣ୍ଡଳୀରେ ଏଥର ନିର୍ବାଚନରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକା ନେବ ବୋଲି ଆଲୋଚନା ହେଉଛି । ବିଜେଡି ଓ ବିଜେପିି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍‌ ହାର ଉପରେ ନିଜର ଜୟ ପରାଜୟ ନେଇ ଆକଳନ କରୁଥିବାବେଳେ ଶ୍ରୀ ପ୍ରଧାନ ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ଲୋକଙ୍କ ବିଶ୍ୱାସ ତାଙ୍କୁ ବିଜୟି କରାଇବ ବୋଲି ଦୃଢ ବିଶ୍ୱାସ ନେଇ ଶ୍ରୀ ପ୍ରଧାନ ଏଥର ନିର୍ବାଚନ ମଇଦାନରେ ଉଭୟ ଦଳକୁ କଡା ଟକ୍କର୍‌ ଦେଉଛନ୍ତି । ଏସବୁ ମଧ୍ୟରେ ବାଲିଗୁଡା ଲୋକ ଶାନ୍ତିପ୍ରିୟା ବିକାଶ ସହିତ ଶାନ୍ତି ସଂସ୍କୃତି ସଂପର୍ଣ୍ଣ ଏହି ଅଞ୍ଚଳ ପରିଚୟ । ତେଣୁ ଭୋଟର ଜନାର୍ଦ୍ଦନ ନିଜ ଅଞ୍ଚଳର ବିକାଶ ପାଇଁ କାହାକୁ ନିଜର ନେତା ଭାବରେ ନିର୍ବାଚିତ କରିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢିବାରେ ଲାଗିଛି ।

Leave A Reply

Your email address will not be published.