ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ଓ ନିବନ୍ଧ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଗୁରୁଜୀ, ଗୁରୁମାଙ୍କୁ ନେଇ ଏକ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଅଂଶଗ୍ରହଣ କରିବା ସହ ବିଜୟୀ ଗୁରୁଜୀ, ଗୁରୁମାଙ୍କୁ ପରିଚାଳନା ସମିତିଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟା ଭାରତୀ ତଥା ଶିକ୍ଷା ବିକାଶ ସମିତି, ଓଡିଶା ଅନ୍ତର୍ଗତ ଦକ୍ଷିଣ-ପୂର୍ବ ସମ୍ଭାଗର ସହ-ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପ୍ରଦୀପ ପ୍ରଜ୍ଜଳନ କରି ଶିଶୁଙ୍କୁ ଆଜାଦୀର ଅମୃତ ମହୋତ୍ସବ ବିଷୟରେ ଅବଗତ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଶତପଥୀ ଶିଶୁଙ୍କୁ ରାକ୍ଷୀ ପୂର୍ଣ୍ଣିମାର ପୌରାଣିକ କଥା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିଶୁ ଭାଇ, ଭଉଣୀମାନେ ପରସ୍ପରକୁ ସ୍ନେହର ରକ୍ଷୀ ବାନ୍ଧିବା ସହ ଗୋ’ପୂଜନ, ବୃକ୍ଷ ପୂଜନ, ନଗରୀୟ ଅତିଥି, ଅଧିକାରୀମାନଙ୍କୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆଦି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ପଦ୍ମଚରଣ ସାହୁ, ଯୁଗ୍ନ ସମ୍ପାଦକ ଦିଲ୍ଲିପ ବେହେରା, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଏବଂ ମାତୃ ଭାରତୀର ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା, ଅଭିଭାବକ, ଅଭିଭାବିକା ସହଯୋଗ କରିଥିଲେ । ପରିଶେଷରେ ଶିଶୁ ଭାଇ, ଭଉଣୀମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

18 − two =

error: Content is protected !!