jsm

ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା

csstore
  • ଚିତ୍ରାଙ୍କନରେ ସ୍ୱୀକୃତି ଓ ପ୍ରଶ୍ନୋତ୍ତରରେ ଆୟୁଷ ପ୍ରଥମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ‘ଲୋକସେବକ ମଣ୍ଡଳ’ ଓ ଦୈନିକ ଶତାୟୁ ଖବରକାଗଜ ‘ସମାଜ’ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନରେ ଜିଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଜିଲ୍ଲାର ବଲାଙ୍ଗିର, ପୁଇଁତଲା, ଲୋଇସିଂହା, ଆଗଲପୁର, ଦେଓଗାଁ, ଗୁଡଭେଲା, ସଇଁତଲା, ଟିଟିଲାଗଡ଼, ପାଟଣାଗଡ, ବେଲପଡ଼ା, ତୁରେକେଲା ଓ ଖପ୍ରାଖୋଲ ବ୍ଲକରୁ ଗତ ୫ ତାରିଖ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଖପ୍ରାଖୋଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଆୟୁଷ କୁମାର କାଲସାଏ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ବଲାଙ୍ଗିର କଦମପଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ଦ୍ୱିତୀୟ ଓ ଲୋଇସିଂହା ବ୍ଲକ ହୀରାପୁର ରାଧାକୃଷ୍ଣ ହାଇସ୍କୁଲ ଛାତ୍ରୀ ଜୟାରାଣୀ ନାଗ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ-୨ ଛାତ୍ରୀ ସ୍ୱୀକୃତି ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପାଟଣାଗଡ ଲାୟନ୍ସ ଭୋକେସନାଲ ସ୍କୁଲ ଛାତ୍ରୀ ପ୍ରତିଜ୍ଞା ସାହୁ ଦ୍ୱିତୀୟ ଓ ଦେଓଗାଁ ବ୍ଲକ ଜରାସିଂହା ପବ୍ଲିକ ସ୍କୁଲ ଛାତ୍ରୀ ଖିଲି ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ସ୍ୱୀକୃତି ମିଶ୍ରଙ୍କ ଚିତ୍ରାଙ୍କନ ପୂର୍ବରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କଟକ ‘ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଥିଲା । ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ପ୍ରଥମ ହୋଇଥିବା ଆୟୁଷ ଆସନ୍ତା ୧୪ରେ କଟକ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଭବନ ସମାଜ କାର୍ଯ୍ୟାଳୟରେ ପୂର୍ବାହ୍ଣ ୧୦ଟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବଲାଙ୍ଗିର ‘ସମାଜ’ ଜିଲ୍ଲା ପ୍ରତିନିଧି ବଳରାମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ଅବସରପ୍ରାପ୍ତ ସୋନପୁର କଲେଜ ଅଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ର, ଅଧ୍ୟାପକ ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ କୁମାର କୁଅଁର ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ । ଶିକ୍ଷାବିତ ମନୋରଞ୍ଜନ ସାହୁ, ଶିକ୍ଷକ ରଞ୍ଜିତ ମିଶ୍ର ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ମୁଖ୍ୟ ଅତିଥି, ବରିଷ୍ଠ ଚିତ୍ରଶିଳ୍ପୀ ବାସୁଦେବ ମେହେର ସମ୍ମାନିତ ଅତିଥି ଓ ପ୍ରଫେସର ମିଶ୍ର, ଅଧ୍ୟାପକ ଶ୍ରୀ ଆଚାର୍ଯ୍ୟ, ଶିକ୍ଷାବିତ ଶ୍ରୀ ସାହୁ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବଲାଙ୍ଗିର ସମାଜ କାର୍ଯ୍ୟାଳୟ ବରିଷ୍ଠ ବିଜ୍ଞାପନ ନିର୍ବାହୀ (ବି.ଡି. ଇ) ରଶ୍ମି ରଞ୍ଜନ ପଟ୍ଟନାୟକ, ବିଜ୍ଞାପନ ନିର୍ବାହୀ ଦେବାଶିଷ ମିଶ୍ର, ଆଗଲପୁର ବ୍ଳକ ପ୍ରତିନିଧି ଡାକ୍ତର ପୁଟେଲ, ଲୋଇସିଂହା ବ୍ଲକ ପ୍ରତିନିଧି ସାରଙ୍ଗ ଭୋଇ, ଦେଓଗାଁ ବ୍ଲକ ପ୍ରତିନିଧି ଖଗେଶ୍ୱର ମେର୍ଲି, ଅଫିସ ସହାୟକ ସରୋଜ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ରଞ୍ଜିତ ମିଶ୍ର, ବରିଷ୍ଠ ସାମ୍ୱାଦିକ ରଞ୍ଜିତ ବେହେରା, ସାମ୍ବାଦିକ ଦୀପକ ପୁରୋହିତ, ଆଲୋକ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ପାଇଁ ଲୋକସେବକ ମଣ୍ଡଳ ଓ ‘ସମାଜ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥି ଓ ଅଭିଭାବକମାନେ ପ୍ରଶଂସା କରିଥିଲେ । ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ପୂଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା ।

yuvodaya
Leave A Reply

Your email address will not be published.