ଟାର୍ଗେଟ ବୃଦ୍ଧି ଦାବୀରେ ଚାଷୀଙ୍କ ରାଜରାସ୍ତା ଅବରୋଧ : ସଂକୀର୍ତ୍ତନ ମାଧ୍ୟମରେ ଅଭିନବ ପ୍ରତିବାଦ

ବୌଦ୍ଧ, (ବଂଶୀଧର ମାଝୀ) : ଟାର୍ଗେଟ ସମସ୍ୟା ଥିବାରୁ ଧାନ ବିକ୍ରି କରି ନପାରିବା ଯୋଗୁଁ ଫବୃଆରୀ ୧୪ ତାରିଖରୁ ପେକ୍ସରେ ଧାନ ପଡି ରହିଛି । ଘଣ୍ଟାପଡା ପେକ୍ସ ଅଧିନ ଆମ୍ବଗାଁ ମଣ୍ଡି ନିମନ୍ତେ ୭୮୦ ବସ୍ତା ଟାର୍ଗେଟ ରହିଥିବା ବେଳେ ଚାଷୀଙ୍କ ୨ ହଜାର ବସ୍ତା ଧାନ ରାସ୍ତା ପାର୍ଶ୍ବରେ ପଡିରହିଛି । ଫଳରେ ଏହାର ପ୍ରତିବାଦରେ ଆଜି ପୂର୍ବାହ୍ନ ସମୟରୁ ଅସନ୍ତୁଷ୍ଟ ଚାଷୀମାନେ ୪୧ ନମ୍ବର ରାଜ୍ୟ ରାଜପଥରେ ଟେଂଟ ମାରି ସଂକୀର୍ତ୍ତନ ମାଧ୍ୟମରେ ଅଭିନବ ପ୍ରତିବାଦ ପୂର୍ବକ ରାସ୍ତା ଅବରୋଧ ଜାରି ରଖିଛନ୍ତି । ସମସ୍ୟାର ସମାଧାନ ନହେବା ଯାଏ ଅନିର୍ଦ୍ଦିଷ୍ଟ ସମୟ ପର୍ୟ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଜଣାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ଘଣ୍ଟାପଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମଲିକ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ ହେଁ ରାସ୍ତାରୋକ ହଟି ନଥିଲା । ଏଥିରେ ହେମନ୍ତ ପୁଟେଲ, ଚଞ୍ଚଳ ରଣା, ଜୟକୃଷ୍ଣ ରଣା, ମୋହନ ରଣା ପ୍ରମୁଖ ଚାଷୀ ରାସ୍ତା ଅବରୋଧରେ ସାମିଲ୍‌ ଥିଲେ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମ୍‌ପ୍ରକାଶ ମିଶ୍ର, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଶିବ କମ୍ପ, ଘଣ୍ଟାପଡା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶଙ୍କର୍ଷଣ ସାହୁ ସମର୍ଥନ ସ୍ବରୂପ ଚାଷୀଙ୍କ ସହ ସାମିଲ ଥିଲେ । ଖବର ଲେଖାଯିବା ପର୍ୟ୍ୟନ୍ତ ପ୍ରତିବାଦ ସ୍ଥଳରେ ଯୋଗାଣ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନଥିବା ଜଣାଯାଇଛି ।

Leave A Reply

Your email address will not be published.