ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗ୍ରନ୍ଥାଗାରର ଇ-ଉପାଦେୟତା ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀ, ଗବେଷକ ଓ ଗବେଷିକା, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ପାଇଁ ଏକ ଏକଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଶ୍ୱବିଦ୍ୟାଳୟର ସ୍ନାତୋକତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବିଭିନ୍ନ ପ୍ରକାରର ଇ-ରିସୋର୍ସର ଉପାଦେୟତା ଓ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସୋସିୟେଟ୍‌ ପ୍ରଫେସର ଜ୍ୟୋସ୍ନା ସାହୁ, ନିର୍ଦ୍ଦେଶିକା, ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ଵାରା ଉପଲବ୍ଧ ହେଉଥିବା ଇ-ରିସୋର୍ସ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ବିଶେଷଜ୍ଞ ରାଜକୁମାର ମହାପାତ୍ର ଇବିଏସ୍‌ସିଓ ଯୋଗଦେଇ ଇ-ରିସୋର୍ସର ବ୍ୟବହାର ସଂବନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜକ ଅଭିମନ୍ୟୁ ପ୍ରଧାନ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟି ଆୟୋଜକ କମିଟି ସଦସ୍ୟ ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ, ଭାରପ୍ରାପ୍ତ ଗ୍ରନ୍ଥାଗାରିକା, ଡ. ମନସ୍ଵିନୀ ପାତ୍ର, ସହକାରୀ ଗ୍ରନ୍ଥାଗାରିକା ଏବଂ ଡ. ଜିତେନ୍ଦ୍ର କୁମାର ବେହେରା, ସହକାରୀ ଗ୍ରନ୍ଥଗାରିକଙ୍କ ଦ୍ୱାରା ସୁଚାରୁ ରୂପେ ସଂପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ, ଗବେଷକ, ଗବେଷିକା, ଅଧ୍ୟାପକ, ଅଧ୍ୟାପିକା ଯୋଗଦାନ କରି ସଫଳ ମଣ୍ଡିତ କରିଥିଲେ । ପରିଶେଷରେ ଭାରପ୍ରାପ୍ତ ଗ୍ରନ୍ଥାଗାରିକା ଶ୍ରୀମତୀ ଶୁଭଲକ୍ଷ୍ମୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.