ବର୍ଦ୍ଧିତ କୋଭିଡ-୧୯ ପଜିଟିଭ୍‌ ରୋଗୀଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ପ୍ରଶାସନର ବିହିତ ପଦକ୍ଷେପ

ରାଉରକେଲା, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ଓ ଆଖପାଖ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପ୍ରକାଶ୍‌ ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍‌ପିଟାଲ୍‌ରେ ଯଥାକ୍ରମେ ୬୦ଟି ଓ ୩୦ ଟି ଆପାତକାଳୀନ ଶଯ୍ୟାର(ଆଇସିୟୁ) ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ହାଇ-ଟେକ୍‌ ହସପିଟାଲ୍‌ରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ରହିଛି । ଏହା ସହିତ ରାଉରକେଲା ମହାନଗର ଓ ଇସ୍ପାତ ଶିଳ୍ପ ସହରାଞ୍ଚଳରେ ଥିବା ୩୦ ଶଯ୍ୟାରୁ ଅଧିକ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ୍‌ଗୁଡ଼ିକରେ ୫୦% ସାଧାରଣ ଶଯ୍ୟା କୋଭିଡ୍‌-୧୯ ସଂକ୍ରମିତ ରୋଗୀମାନଙ୍କ ସଂରକ୍ଷିତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏହି ସବୁ ହସ୍ପିଟାଲର ଆପାତକାଳୀନ ଶଯ୍ୟା(ଆଇସିୟୁ)ର ୮୦% କୋଭିଡ୍‌-୧୯ ସଂକ୍ରମିତ ରୋଗୀମାନଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ରେଫର କରାଯାଇ ଜୟପ୍ରକାଶ ହସ୍‌ପିଟାଲ୍‌ ଓ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଅନ୍ୟପକ୍ଷରେ ଯେଉଁ ରୋଗୀମାନେ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ରେଫର ନ ହୋଇ ନିଜ ନିଜ ସ୍ତରରେ (ସରକାରୀ ସଂରକ୍ଷିତ ଶଯ୍ୟା ନିର୍ଦ୍ଦେଶନାମା ଅନୁଯାୟୀ) ଆଇସିୟୁ ଶଯ୍ୟାରେ ଭର୍ତ୍ତି ହୋଇଥିବେ, ସେମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଧାରିତ ଦେୟ ଦେବାକୁ ପଡ଼ିବ। ସମସ୍ତ ଘରୋଇ ହସ୍‌ପିଟାଲଗୁଡ଼ିକ ସରକାରଙ୍କ ହସ୍‌ପିଟାଲ ଶଯ୍ୟା ସଂରକ୍ଷଣ ନିୟମ ଯଥା ସାଧାରଣ ଶଯ୍ୟା-୫୦% ଓ ଆଇସିୟୁ-୮୦% ଶଯ୍ୟା ନିମନ୍ତେ ନିର୍ଧାରିତ ନିୟମାବଳୀ ପାଳନ ସହିତ ଶଯ୍ୟା ନିମନ୍ତେ ଦେୟ ଖର୍ଚ୍ଚ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ହସ୍‌ପିଟାଲ ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କରିବେ ତେବେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି। 

Leave A Reply

Your email address will not be published.