
- ୨୫ଟି ସାମାଜିକ ସଂଗଠନର ଚିଠି ସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ଅନ୍ୟତମ ସ୍ମାର୍ଟ ସିଟି ଭାବରେ ମାନ୍ୟତା ପାଇଥିବା ଆମ ଷ୍ଟିଲ ସିଟି ରାଉରକେଲାରୁ ଦେଶରେ ବିଭିନ୍ନ ରାଜ୍ୟ ଅର୍ଥାତ କଲିକତା, ବେଙ୍ଗାଳୁରୁ, ହାଇଦ୍ରାବାଦ, ନୂଆଦିଲ୍ଲୀ, ରାଏପୁର, ମୁମ୍ବାଇ ଆଦି ଅଞ୍ଚଳକୁ ଦୈନିକ ବିମାନ ସେବା ଚାଲୁ କରିବା ନେଇ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରି ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଦେଶର ପ୍ରଥମ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ପ୍ରତିଷ୍ଠା ହୋଇଥିବା ଆମ ରାଉରକେଲାରେ ଦେଶର ପ୍ରାୟତଃ ସମସ୍ତ ରାଜ୍ୟର ଲୋକେ ବସବାସ କରୁଥିବାରୁ ରାଉରକେଲାକୁ ଲୋକେ ମିନି ଇଣ୍ଡିଆ ବୋଲି ମଧ୍ୟ କହିଥାନ୍ତି । କେବଳ ଏତିକି ନୁହେଁ ରାଉରକେଲାରେ ଦେଶରେ ବୈଷୟିକ ଶିକ୍ଷା ପ୍ରଦାନରେ ଏକ ପ୍ରମୁଖ ଭୂମିକା ନେଇଥିବା ସଂସ୍ଥା ଏନ୍ଆଇଟି ସମେତ ବି ପି ୟୁ ଟି ଏବଂ ଅନେକ ବଡ ବଡ ଶିକ୍ଷାଅନୁଷ୍ଠାନ ଅଛି ଯେଉଁଠି ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଆସିଥାନ୍ତି । ସେହିପରି ଏଠି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରତିଷ୍ଠିତ ମେଡ଼ିକାଲ ଯଥା : ଆପୋଲୋ, ହାଇଟେକ ମେଡ଼ିକାଲ ଥିବା ବେଳେ ଆହୁରି ଅନେକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ନାକେବଳ ଓଡିଶାର ବିଭିନ୍ନ ଜିଲ୍ଳାରୁ ଏପରିକି ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର ଏବଂ ଛତିଶଗଡ଼ ରାଜ୍ୟରୁ ମଧ୍ୟ ଲୋକେ ଆସିଥାନ୍ତି । ତେବେ ଆମର ଏଠି ଦେଶର ବିଭିନ୍ନ ସ୍ଥାନକୁ ଦୈନିକ ବିମାନସେବା ନଥିବାରୁ ଏ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୁଚାରୁ ରୂପେ ତୁଳାଇବା ପାଇଁ ଆବଶ୍ୟକତା ଅନୁସାରେ ବିଶେଷଜ୍ଞ ମାନଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ଫଳରେ ଅନେକ ସମୟରେ ଲୋକଙ୍କ ଆବଶ୍ୟକତା ଅନୁସାରେ ରାଉରକେଲାକୁ ବିଶେଷଜ୍ଞ ମାନଙ୍କୁ ଆଣିବା ସମ୍ଭବ ହେଉନାହିଁ । ବିଧାୟକ ଦୁର୍ଗା ଚରଣ ତନ୍ତୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ମୁଖରେ ଏ ସମସ୍ତ ସମସ୍ୟା ଉଲ୍ଲେଖ କରି ଏହାର ସମାଧାନ ପାଇଁ ରାଉରକେଲାରୁ ଦେଶର ବିଭିନ୍ନ ରାଜ୍ୟକୁ ଦୈନିକ ବିମାନସେବା ପ୍ରାରମ୍ଭ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବା ସହିତ ଏହି ଦାବି ନେଇ ରାଉରକେଲା ବଣିକ ସଂଘ, ପଞ୍ଚମ ବେଦ, ଅସ୍ତିତ୍ୱ, ଗାୟତ୍ରୀ ପରିବାର ଟ୍ରଷ୍ଟ, କ୍ଲିନ ଏଣ୍ଡ ଗ୍ରୀନ, ଯାଜ୍ଞସେନୀ, ଆଦର୍ଶ ଯୁବ ପରିଷଦ, ତ୍ରିବେଣୀ କଳା ସଙ୍ଗମ, ଉଇ ଫର୍ ୟୁ ୟୁଥ କ୍ଲବ, ନେତାଜୀ ନୃତ୍ୟ ପରିଷଦ, ସାଧବ ଡାନ୍ସ ଏକାଡେମୀ, ଅଦ୍ଵେଷଣ ଗ୍ରୁପ, ଅଭିଯାନ, ସେଲ୍ଫ ହେଲ୍ପ, ଡିପ୍ଲୋମା ଇଞ୍ଜିନିୟର୍ସ ସଙ୍ଘ, ଓଡ଼ିଆ ଲେଖିକା ସଂସଦ, ଭିଜନ ସୋସିଆଲ ୱେଲଫେଆର ଅର୍ଗାନାଇଜେସନ, ସେକ୍ଟର-୮ ସାର୍ବଜନୀନ ଦୁର୍ଗା ପୂଜା କମିଟି, ଲେଡି ଲାୟନ, ଗୋମାତା ସେବକ ସଙ୍ଘ, ଅସ୍ତିତ୍ୱ, ଦି ମିରର ସୋସିଆଲ ଫାଉଣ୍ଡେସନ, ଜୟଦେବ କଳା ବିକାଶ କେନ୍ଦ୍ର, ଏକତା ଫାଉଣ୍ଡେସନ ଟ୍ରଷ୍ଟ, ରବିନ ହୁଡ଼ ଆର୍ମି ସମେତ ପ୍ରାୟ ୩୫ରୁ ଉର୍ଦ୍ଧ୍ବ ସଂଘଠନ ମାନଙ୍କ ପକ୍ଷରୁ ବିଧାୟକଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ପ୍ରସ୍ତୁତ ଏକ ସ୍ମାରକ ପତ୍ରଗୁଡିକୁ ମଧ୍ୟ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ ମଧ୍ୟ କରିଛନ୍ତି ।