
ବଲାଙ୍ଗିର, (କେପିଏନ୍ଏସ୍) : ଶିଶୁ ଓ ମହିଳାଙ୍କ ସୁରକ୍ଷା ସହ ବିଭିନ୍ନ ଦାବି ନେଇ ବଲାଙ୍ଗିରରେ ଅନୁଷ୍ଠିତ ହୋଇଛି ଏଆଇଏମଏସଏସର ପ୍ରଥମ ଜିଲ୍ଲାସ୍ତରୀୟ ମହିଳା ସମ୍ମିଳନୀ । ବଲାଙ୍ଗିର ଗନ୍ଧରେଲ ସ୍ଥିତ ଗଙ୍ଗାଧର ମେହେର ପାଠାଗାର ପରିସରରେ ସାରା ଭାରତ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ନାରୀ ଓ ଶିଶୁଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବନ୍ଦ, ସୁରକ୍ଷା ସୁନିଶ୍ଚିତ, ମଦ ଓ ମାଦକଦ୍ରବ୍ୟ ନିଷିଦ୍ଧ, ଗଣମାଧ୍ୟମରେ ଅଶ୍ଳୀଳତା ଓ ନଗ୍ନତାର ପ୍ରଚାର ବନ୍ଦ ଏବଂ ସ୍କିମ୍ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଭଳି ବିଭିନ୍ନ ଦାବି ଉପରେ ସମ୍ମିଳନୀରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ସଂଗଠନର ରକ୍ତ ପତାକା ଉତ୍ତୋଳନ କରିଥିଲେ ରାଜ୍ୟ ସଭାନେତ୍ରୀ କମ୍ରେଡ୍ ସ୍ୱୟଂପ୍ରଭା ନାୟକ । ସନ୍ଧ୍ୟାରାଣୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସ୍ୱୟଂପ୍ରଭା ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ଏସ୍ୟୁସିଆଇ(ସି)ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ କମ୍ରେଡ୍ ଅଶୋକ ମିଶ୍ର ଓ ଏଆଇଏମଏସଏସର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ମନ୍ଦୋଦରୀ ରାଉଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବକ୍ତାମାନେ କହିଥିଲେ, ନାରୀ ମୁକ୍ତି ପାଇଁ ସମସ୍ତ ମହିଳାଙ୍କୁ ଏକଜୁଟ ହୋଇ ପୁରୁଷତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇବାକୁ ପଡ଼ିବ । ନାରୀ ଓ ଶିଶୁଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଓ ଶୋଷଣ ବିରୋଧରେ ଦୁର୍ବାର ଆନ୍ଦୋଳନ ଗଢ଼ି ତୋଳିବାକୁ ସେମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଏଆଇଏମଏସଏସର ବଲାଙ୍ଗିର ଜିଲ୍ଲା କମିଟି ଗଠନ କରାଯାଇଛି । ସନ୍ଧ୍ୟାରାଣୀ ସାହୁଙ୍କୁ ଜିଲ୍ଲା ସଭାପତି ଏବଂ ବୃନ୍ଦାବତୀ ଧରୁଆଙ୍କୁ ଜିଲ୍ଲା ସମ୍ପାଦିକା ଭାବେ ଚୟନ କରାଯାଇଥିବା ବେଳେ ୨୫ ଜଣିଆ ଜିଲ୍ଲା କମିଟି ନିର୍ବାଚିତ ହୋଇଛି । ଏଥିସହ ଆସନ୍ତା ଡିସେମ୍ବର ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବଭାରତୀୟ ମହିଳା ସମ୍ମିଳନୀକୁ ସଫଳ କରିବା ନେଇ ମଧ୍ୟ ସଭାରେ ଆଲୋଚନା ହୋଇଥିଲା ।