
- ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ମୁନିଗୁଡା, (ରମାକାନ୍ତ ପଡାଲ) : ସୋମବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ର ସବୁଜ ବନାନୀ ମଧ୍ୟରେ ଥିବା ଡି.ଏ.ଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ପରିସର ଆଜି ଓଡ଼ିଆ ସାହିତ୍ୟର ଗର୍ବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବରେ ମୁଖରିତ ହୋଇ ଉଠିଥିଲା । ପ୍ରକୃତି ପ୍ରେମୀ କବିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଦ୍ୟାଳୟରେ ଏକ ଭବ୍ୟ ସାହିତ୍ୟିକ ସମାରୋହର ଆୟୋଜନ କରାଯାଇଥିଲା । ସଂସ୍କୃତ ଶିକ୍ଷକ ଫରେନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ସାମୂହିକ ଓଁକାର ଓ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ୱର ଭୁଜବଳ ମହୋଦୟ ଦୀପ ପ୍ରଜ୍ଜ୍ୱଳନ ଓ ମାଲ୍ୟାର୍ପଣ କରି ଉତ୍ସବର ଉଦ୍ଘାଟନ କରିଥିଲେ । ନିଜ ଅଭିଭାଷଣରେ ସେ ଛାତ୍ରଛାତ୍ରୀମାନଙ୍କୁ ମାତୃଭୂମିର ସେବା ଓ ମାତୃଭାଷା ଓଡ଼ିଆର ଉନ୍ନତି ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରେ ଓଡ଼ିଆ ବିଭାଗ ମୁଖ୍ୟ ସୁବାସ ମେହେର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶିକ୍ଷକ ରାକେଶ କୁମାର ଦାସ ଉଦ୍ବୋଧନ ଦେଇଥିଲେ, ଛାତ୍ରୀମାନଙ୍କ ଦ୍ୱାରା ମନୋମୁଗ୍ଧକର ସଂଗୀତ ପରିବେଷଣ କରାଯାଇଥିଲା । ଛାତ୍ର ସାଇ ସ୍ୱରୂପ ପାଟଶାଣୀ କବିଙ୍କ ଅମର ରଚନା “ବିଶ୍ୱ ଦେଖ ମଧୁମୟ” ସସ୍ୱରେ ଆବୃତ୍ତି କରି ସମସ୍ତଙ୍କୁ ମୋହିତ କରିଥିଲେ । ସେହିପରି ଛାତ୍ରୀ ସ୍ମୃତି ପ୍ରଜ୍ଞା ସାମଲ କବିଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷିକା ସମ୍ବିତଲତା ସାହୁ ଧନ୍ୟବାଦ ଜ୍ଞାପନ କରିବା ପରେ ଶାନ୍ତିପାଠ ମାଧ୍ୟମରେ ସମାରୋହର ପରିସମାପ୍ତି ଘୋଷଣା କରାଯାଇଥିଲା । ଲାଞ୍ଜିଗଡ଼ର ପ୍ରାକୃତିକ ପରିବେଶ ମଧ୍ୟରେ ଏହି ଜୟନ୍ତୀ ପାଳନ ସ୍ୱଭାବ କବିଙ୍କ “ପ୍ରକୃତି ପ୍ରେମ”କୁ ସମ୍ପୂର୍ଣ୍ଣ ସମ୍ମାନ ଦେଇଥିଲା । ଯେଉଁଠି କବି ପ୍ରକୃତିରେ ଈଶ୍ୱରଙ୍କୁ ଦେଖୁଥିଲେ, ସେଇଠି ତାଙ୍କ କବିତା ଆଜି ପିଲାମାନଙ୍କ କଣ୍ଠରେ ପୁଣି ଜୀବନ୍ତ ହୋଇଉଠିଥିଲା ।