
ଓଡ଼ିଶାରେ ଅଢେଇ ଲକ୍ଷ ପୂର୍ବତନ ସେନା କର୍ମଚାରୀ ଓ ପରିବାରଙ୍କ ସ୍ୱାସ୍ଥ୍ୟ ସେବା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରଦର୍ଶନ
ଭୁବନେଶ୍ୱର, (କେପିଏନ୍ଏସ୍) : ଭାରତୀୟ ସେନାବାହିନୀରୁ ଅବସର ଗ୍ରହଣ କରିଥିବା ପ୍ରାୟ ଅଢେଇ ଲକ୍ଷ ସେନା କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟସେବା ପ୍ରଦାନ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ପ୍ରଦର୍ଶନ ଅଭିଯୋଗ ହୋଇଛି । ଏଥିରେ ସ୍ଥଳ ସେନା, ବାୟୁ ସେନା ଓ ଜଳ ସେନାରୁ ସେବା ନିବୃତ ଅଫିସର, ଜୁନିୟର ଅଫିସର ଓ ସୈନିକଙ୍କ ସଂଖ୍ୟା ପାଖାପାଖି ଅଢେଇ ଲକ୍ଷ ଆକଳନ କରାଯାଇଥିବା ବେଳେ ସେମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ମେଡିକାଲ ଆଲାଉନ୍ସ ପ୍ରତି ବଦଳରେ ଇସିଏଚ୍ଏସ୍ (ଏକ୍ସ ସର୍ଭିସମେନ କଣ୍ଟ୍ରିବ୍ୟୁଟେରୀ ହେଲଥ ସ୍କିମ)ରେ ସାମିଲ କରାଯାଇଛି । ହେଲେ ରାଜ୍ୟରେ ହାତ ଗଣତି ଏହି ଭଳି ଇସିଏଚ୍ଏସ୍ ସ୍ୱାସ୍ଥ୍ୟକେନ୍ଦ୍ର ହାତ ଗଣତି ରହିଥିବା ବେଳେ ସ୍ୱାସ୍ଥ୍ୟସେବା ପ୍ରଦାନରେ ଅହେତୁକ ଅବହେଳା ପ୍ରଦର୍ଶନ କରାଯିବା ନେଇ ଅନେକ ନଜୀର ରହିଛି । ଏପରିସ୍ଥଳେ କେବଳ ନିକଟସ୍ଥ ବେସରକାରୀ ହସ୍ପିଟାଲକୁ ରେଫେରାଲ ହିଁ ସେନା ବାହିନୀର ପରିବାର ପାଇଁ ଭରସା ସାଜିଛି । ଦିନକୁ ଦିନ ରାଜ୍ୟ ରାଜଧାନୀ ଭୁବନେଶ୍ୱରର କ୍ରମବର୍ଦିଷ୍ଣୁ ଉନ୍ନୟନ ଯୋଗୁଁ ଅନେକ ଉଚ୍ଚ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ହସ୍ପିଟାଲ ସଂଖ୍ୟା କିଛି କମ୍ ନୁହେଁ । ହେଲେ ସେଥି ମଧ୍ୟରୁ କେତେକ ହାତ ଗଣତି ହସ୍ପିଟାଲକୁ ଦିଲ୍ଲୀ ସ୍ଥିତ ପରିଚାଳନା ନିର୍ଦ୍ଦେଶକ ଇସିଏଚ୍ଏସ୍ ଅନୁମତି ପ୍ରଦାନ କରୁଥିବା ବେଳେ ସମୟାନୁସାରେ କେତେକଙ୍କୁ ଏଥିରୁ ବାଦ ଦେଇଥାନ୍ତି । ଫଳରେ ଲକ୍ଷାଧିକ ସେନା କର୍ମଚାରୀ ଓ ପରିବାର ନିଜର ଚିକିତ୍ସା ପାଇଁ ନାହିଁ ନଥିବା ହଇରାଣ ହେବା ସହିତ ଅଯଥା ଶାରୀରିକ, ଆର୍ଥିକ ଓ ମାନସିକ ସ୍ତରରେ କ୍ଷତିଗ୍ରସ୍ତ ହୁଅନ୍ତି । ଏପରିସ୍ଥଳେ ଇସିଏଚ୍ଏସ୍ର ଉଚ୍ଚ କର୍ତ୍ତୃପକ୍ଷ ଚଳିତ ମାସ ୧୪ ତାରିଖରୁ ଲୋକଙ୍କ ବହୁଳ ପସନ୍ଦ ଯୋଗ୍ୟ କିମ୍ସ ହସ୍ପିଟାଲ, କିମ୍ସ ସୁପର ସ୍ପେସିଲିଷ୍ଟ ହସ୍ପିଟାଲ ଓ ଉତ୍କଳ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ରେଫେରାଲ ନ କରିବାକୁ କଡା ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାଯାଇଛି । ଫଳରେ ଏନେଇ ସ୍ଥାନୀୟ ସେନା ପରିବାର ମଧ୍ୟରେ ନୈରାଶ୍ୟ ମନୋଭାବ ପ୍ରକାଶ ପାଇବା ସ୍ୱାଭାବିକ । ଏସବୁ ହସ୍ପିଟାଲର ଏନ୍ଏବିଏଚ୍ (ନ୍ୟାସନାଲ ଆକ୍ରିଡେସନ ବୋର୍ଡ଼ ଫର ହସ୍ପିଟାଲ ଆଣ୍ଡ ହେଲଥ କେୟାର ପ୍ରୋଭାଇଡର)ଅବଧି କିଛି ଦିନ ପୂର୍ବେ ସମାପ୍ତି ହୋଇଯାଇଛି । ହେଲେ ଏନଏବିଏଚ୍ ଆଳରେ ଇସିଏଚ୍ଏସ୍ ବେନିଫିସେରୀଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଂଚିତ କରାଯାଇଥିବା ବେଳେ ସିଜିଏଚ୍ଏସ୍ ସ୍କିମ ସହିତ ଅନ୍ୟ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ହେଲଥ ସ୍କିମରେ ଉପକୃତ ହେଉଥିବା ହିତାଧିକାରୀ ଏସବୁ ହସ୍ପିଟାଲରେ ପୂର୍ବବତ ସ୍ୱାସ୍ଥ୍ୟ ସେବା ପାଉଥିବା ଜଣାଯାଇଛି । ଏପରିକ୍ଷେତ୍ରରେ ସମ୍ପୃକ୍ତ ତିନି ହସ୍ପିଟାଲ ଏନ୍ଏବିଏଚ୍ ପ୍ରମାଣ ପତ୍ର ହାସିଲ କରିବା ପର୍ଯ୍ୟନ୍ତ ପୂର୍ବବତ ନନ ଏନ୍ଏବିଏଚ୍ ଦରରେ ଚିକିତ୍ସା ସୁବିଧା ପ୍ରଦାନ ପୂର୍ବକ ପୂର୍ବତନ ସେନା ବାହିନୀଙ୍କ ସମେତ ଲକ୍ଷ ଲକ୍ଷ ପରିବାର ବର୍ଗଙ୍କ ମୂଲ୍ୟବାନ ଜୀବନ ରକ୍ଷା ପ୍ରତି କୋହଳ ମନୋଭାବ ପୋଷଣ କରିବାକୁ ସବୁ ସ୍ତରରେ ଦାବି ଜୋର ଧରିଛି । ଏ ସଂକ୍ରାନ୍ତରେ ରାଜ୍ୟ ୱାର ଭେଟେରାନ ଅଫିସର୍ସ ଆସୋସିଏସନ ତରଫରୁ ରାଜ୍ୟ ସଭାପତି ଲେପଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଓ ରାଜ୍ୟ ପୂର୍ବତନ ସୈନିକ ସଙ୍ଘ (ଓଏସ୍ଇଏସ୍ଏଲ୍) ରାଜ୍ୟ ସଭାପତି ବ୍ରିଗେଡ଼ିୟର ଅନ୍ତର୍ଯ୍ୟାମୀ ପ୍ରଧାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ସହିତ ଦିଲ୍ଲୀ କେଣ୍ଟ ସ୍ଥିତ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି)ଇସିଏଚ୍ଏସ୍ଙ୍କୁ ଇ ମେଲ ଓ ଡାକ ଜରିଆରେ ଜଣାଇଥିବା ସୂଚନା ଦେଇଛନ୍ତି । ଏପରିକି ଲକ୍ଷ ଲକ୍ଷ ପୂର୍ବ ସେନା କର୍ମଚାରୀ ଓ ତାଙ୍କ ପରିବାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଉତ୍ତରଦାୟୀ ରହିବା ପୂର୍ବକ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଆଶାବାଦୀ ଅଛନ୍ତି ।
