ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ ଦାବୀ ଓ ୨ ମାସର ଦରମା ପ୍ରଦାନ ନେଇ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସରକାରୀ ହାଇସ୍କୁଲରେ ୨୦୧୬-୨୦୨୨ ମସିହାର ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୁଇ ମାସର ଦରମା ଓ ନିୟମିତ ଦାବୀ ନେଇ ରାଜ୍ୟ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଉପସଭାପତି ବିନୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ତଥା ଗତ ଅକ୍ଟୋବର ମାସ ୧୫ ତାରିଖରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରିଥିଲେ । ଜିଏ ଏଣ୍ଡ ପିଜି ବିଭାଗର ନୋଟିଫିକେସନ ନଂ- ୨୯୦୭୬, ତା.୧୭.୧୦.୨୦୨୨ ଅନୁସାରେ ୨୦୧୩ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମରେ ନିଯୁକ୍ତ ସମସ୍ତ କର୍ମଚାରୀମାନେ ନିୟମିତ ହେବେ ବୋଲି ଉଲ୍ଲେଖ କରାଯାଇଛି । ଏହି ଶିକ୍ଷକମାନେ ଉକ୍ତ ନିୟମ ଅନୁସାରେ ଆସୁଥିଲେ ହେଁ ରାଜ୍ୟର ଅନ୍ୟ ସମସ୍ତ ବିଭାଗର କର୍ମଚାରୀମାନେ ନିୟମିତ ହୋଇ ଦରମା ଓ ବକେୟା ପାଇ ସାରିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୧୮,୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରୁନାହାନ୍ତି । ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା ପରେ ଅର୍ଥ ବିଭାଗ ଆଉ ୨୦୨୩-୨୪ ଆର୍ଥିକ ବର୍ଷ କଣ୍ଟ୍ରାକ୍ଟଚୁଆଲ ହେଡ୍‌ରେ ଏଲଟମେଣ୍ଟ ପ୍ରଦାନ କରି ନ ଥିବାରୁ ମାର୍ଚ୍ଚ ଓ ଏପ୍ରିଲ ଦୁଇ ମାସ ହେଲା କଣ୍ଟ୍ରାକ୍ଟଚୁଆଲ ଦରମା ମଧ୍ୟ ପାଉନାହାନ୍ତି, ତେଣୁ ଶିକ୍ଷକମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପକ୍ଷରେ ନିୟମିତ କରୁ ନାହାନ୍ତି ଓ ଅନ୍ୟ ପକ୍ଷରେ ନିୟମିତ ହୋଇନାହାନ୍ତି ବୋଲି ଦରମା ମଧ୍ୟ ଦୁଇ ମାସ ହେଲା ନ ପାଇବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଏପ୍ରିଲ ୧ ତାରିଖରୁ ୧୩ ତାରିଖ ଧରି ବିଧାନସଭା ସମ୍ମୁଖରେ ଧାରଣା ଦେଲା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ନୋଟିଫିକେସନ ନଂ ୮୪୭୪, ତା.୧୩.୦୪.୨୦୨୩ ପ୍ରକାଶ ପାଇଥିଲେ ହେଁ ଜିଲ୍ଲା ଶିକ୍ଷାଅଧିକାରୀମାନଙ୍କୁ ନିର୍ଦ୍ଦେଶ ନ ଥିବାରୁ ଚୁକ୍ତିଭିତ୍ତିକ ଶିକ୍ଷକମାନେ ନିୟମିତ ହୋଇପାରୁନାହାନ୍ତି । ରାଜ୍ୟ ସଂଘର ଉପସଭାପତି ବିନୋଦ କୁମାର ମିଶ୍ର ସରକାର ଶୀଘ୍ର ନିୟମିତ କରନ୍ତୁ ବୋଲି କହିଥିବା ବେଳେ ବରିଷ୍ଠ ଶିକ୍ଷକ ଅରବିନ୍ଦ କୁମ୍ଭାର ସରକାର ଯଦି ୭ ଦିନ ଭିତରେ ନିୟମିତ କରି ଦରମା ପ୍ରଦାନ ନ କଲେ ମେ’ ୮ ତାରିଖରୁ ପୁଣି ଥରେ ସଂଘ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ଦାବୀପତ୍ର ଦେବାବେଳେ ଶିକ୍ଷକ ମାଧବ ପଧାନ, ଅଭିମନ୍ୟୁ ନାଏକ, ଯୋଗେନ୍ଦ୍ର ଆଡଯୁଏଡ, କର୍ମ ପଧାନ, ବିରେନ୍ଦ୍ର ନାଏକ, ଅଭିନିତା ପଟ୍ଟନାଏକ, ପୂଜା ଦର୍ଜି, ଡିଲେଶ୍ୱରୀ କୁଅଁର ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 + sixteen =