ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌ କୋଡ୍‌ର ପ୍ରଚଳନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ମା’ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଏହାର କମ୍ପ୍ୟୁଟରୀକୃତ ସଂରଚନାରେ କ୍ୟୁଆର୍‌ କୋଡ୍‌ର ପ୍ରଚଳନ ଆରମ୍ଭ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସଭା ଗୃହ ଠାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି କାର୍ଯ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି । ପୂର୍ବରୁ ପ୍ରଚଳିତ ଗର୍ଭବତୀ ମହିଳାଙ୍କ ମାତୃ ଓ ଶିଶୁ ପଂଜିକରଣ ପତ୍ରିକା ଉପରେ ଏକ କ୍ୟୁଆର୍‌ କୋଡ୍‌ ଲାଗିବ ଓ ଏହି କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀ ଗର୍ଭବତୀ ମହିଳାଙ୍କ ସମସ୍ତ ତଥ୍ୟ ନିଜର ଟାବ୍‌ଲେଟ୍‌ରେ ଅନୁଗ୍ରହଣ ହେବ । ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାଇଁ ଆସୁଥିବା ଗର୍ଭବତୀ ତଥା ନବଜାତଙ୍କ ତଥ୍ୟ ଖୋଜିବା ଓ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ସହାୟକ ହେବ । ନିର୍ଭୁଲ ତଥ୍ୟ ସଂଗ୍ରହ ସହ ସଠିକ୍‌ ସମୟରେ ଏହି କାର୍ଯ୍ୟ ସ୍ୱାସ୍ଥ୍ୟକର୍ମୀ ଗ୍ରାମାଂଚଳ ମାନଙ୍କରେ ସୁଚାରୁ ରୂପେ ସଂପାଦନ କରି ପାରିବେ । କ୍ୟୁଆର୍‌ କୋଡ୍‌ ହେଉଛି ଏକ କଂପ୍ୟୁଟରୀକୃତ ଚିହ୍ନ ଯାହା ମାଧ୍ୟମରେ ତଥ୍ୟର ଆଦାନ ଓ ପ୍ରଦାନ ସହ ସୁପରିଚାଳନା ଓ ସଂରକ୍ଷଣ ସହଜରେ ହୋଇଥାଏ ।
ନରୱେ ଇଣ୍ଡିଆ ପାର୍ଟନର୍‌ସିପ୍‌ (ଏନ୍‌ଆଇପିଆଇ) ସହଯୋଗରେ ପ୍ରଥମେ ଏହି କାର୍ଯ୍ୟକ୍ରମ ରାଜ୍ୟର ବଲାଙ୍ଗିର ଓ ମୟୁରଭଂଜ ଜିଲ୍ଳାରେ ପରୀକ୍ଷଣ ସ୍ୱରୂପ ଆରମ୍ଭ ହୋଇଛି । ଉକ୍ତ ଉନ୍ମୋଚନ ପ୍ରଶିକ୍ଷଣ ପର୍ବରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଡା. ଭୀମ ସାହୁଙ୍କ ନେତୃତ୍ୱରେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମୃତ୍ୟୁଂଜୟ ମୁଣ୍ଡ ପରିଚାଳନା କରିଥିଲେ । କୋଭିଡ-୧୯ର ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ସ୍ୱଳ୍ପ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ସାମାଜିକ ଦୂରତା ବଜାୟ ସହ ରାଜ୍ୟ ଓ ନିପି.ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶିକ୍ଷଣ ପରିବାଳନା କରିଥିଲେ ।

Leave A Reply

Your email address will not be published.