ଦୁର୍ନୀତିରେ ଉବୁଟୁବୁ ପାଇକମାଲ ଶିକ୍ଷା ବିଭାଗ : ପିଏଫ୍‌ଏମ୍‌ଏସ୍‌ ପାଇଁ ଅର୍ଥ ଆଦାୟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଶିକ୍ଷା ବିଭାଗରେ ପୁଣି ଏକ ଦୁର୍ନୀତିର ଗନ୍ଧ ଜଣାପଡୁଛି । ସମଗ୍ର ଶିକ୍ଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପୋଷାକ ପ୍ରଦାନ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ଆସିଥାଏ ଏବଂ ଏହି ଖର୍ଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାଙ୍କ ଅନୁମୋଦନ କ୍ରମେ ହୋଇଥାଏ । ଏଥିପାଇଁ କେନ୍ଦ୍ର ସରକାର ପାଉଣା ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ପିଏଫ୍‌ଏମ୍‌ଏସ୍‌ କରି ସଂପୃକ୍ତ ବ୍ୟବସାୟୀଙ୍କୁ ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଆକାରରେ ଟଙ୍କା ପ୍ରଦାନ କରାଯାଏ । ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ପିଏଫ୍‌ଏମ୍‌ଏସ୍‌ କରିବାକୁ ଅସମର୍ଥ ଥିବାର ସୁଯୋଗ ନେଇ କିଛି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଆକାଉଣ୍ଟାଣ୍ଟ ଗୋଟିଏ ପିଏଫଏମଏସ କରିବା ପାଇଁ ୧୦୦ ରୁ ୧୫୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଏହି କାମ ପାଇଁ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଗତବର୍ଷ ତାଲିମ ମଧ୍ୟ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନେ ସହଯୋଗ କରିବା ପାଇଁ ସରକାରୀ ନିର୍ଦ୍ଦେଶ ମଧ୍ୟ ରହିଅଛି । ଶିକ୍ଷକମାନେ ଗତ ବର୍ଷ ତାଲିମ ସମୟରେ ଠିକ୍‌ ଭାବେ ତାଲିମ ଗ୍ରହଣ କରିନଥିବା ଯୋଗୁଁ ଏହାର ସୁଯୋଗ ନେଇ ସଂପୃକ୍ତ ଅଧିକାରୀମାନେ ଅର୍ଥ ଆଦାୟ କରୁଥିବାର ଅଭିଯୋଗ ହେୁଛି । ସେଥି ମଧ୍ୟରୁ ଯଦି କୌଣସି ଶିକ୍ଷକ ନିଜ ହିସାବରେ କରିଦିଏ ତାହା ହେଲେ ତାଙ୍କ କଥା ମାନୁ ନାହାନ୍ତି କହି ଉପରିସ୍ଥ କର୍ମକର୍ତ୍ତାଙ୍କୁ ଜଣାଇ ଦରମା ବନ୍ଦ ଓ ଅନ୍ୟାନ କାର୍ଯ୍ୟାନୁଷ୍ଠନ ପାଇଁ ଧମକ ଦେଉଛନ୍ତି । ଏହା ପୂର୍ବରୁ ଅନେକ ଦୁର୍ନୀତି ଲୋକ ଲୋଚନକୁ ଆସିଥିଲେ ମଧ୍ୟ ପ୍ରଶାସନ ଚୁପ ରହୁଥିବାରୁ ଜନ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ପୋଷାକ କିଣାରେ ମଧ୍ୟ ଅନେକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି କାରଣ ଚଳିତ ବର୍ଷ ୫ ଶହ ଟଙ୍କାରେ ଦୁଇ ହଳ ପୋଷାକ ଦେବା ପାଇଁ ନିର୍ଦେଶ ଥିବା ବେଳେ ସେଥିରୁ ଅନେକ ଟଙ୍କା ଦୋକାନୀ ଠାରୁ ଫେରସ୍ତ ନେଇ ନିମ୍ନ ମାନର ପୋଷାକ ସମ୍ପୃକ୍ତ ପ୍ରଧାନ ଶିକ୍ଷକମାନେ ନେଉଥିବା ପରିଲକ୍ଷିତ ହେଉଛି । ଆଗକୁ ଉଚ୍ଚ କର୍ତ୍ତୃପକ୍ଷ ଏହି ଦୁର୍ନୀତି ସମ୍ପର୍କରେ କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶେ ପାଇଛି ।

Leave A Reply

Your email address will not be published.