ଜରାସିଂହା ପାଟଖଣ୍ଡା ଯାତ୍ରା : ବୁଢ଼ୀଆଇ ପୂଜା ସହ ପାଟଖଣ୍ଡା ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରିବା ପରେ ଷୋଳ ପୂଜା ଆରମ୍ଭ

ଦେଓଗାଁ, (ମନିଷ କୁମାର ସାହୁ) : ପାରଂପାରିକ ରୀତିନୀତି ଅନୁସାରେ ୨୦୨୦ ପାଟଖଣ୍ଡା ଯାତ୍ରାର ବହୁ ପ୍ରତୀକ୍ଷିତ ଷୋଳପୂଜା ଆରମ୍ଭ ହୋଇଯାଇଛି। ପ୍ରତିବର୍ଷ ଅଶ୍ବିନ କୃଷ୍ଣପକ୍ଷ ଅଷ୍ଟମୀ ତିଥୀରେ ଏହି ପୂଜା ଆରମ୍ଭ ହୋଇଥାଏ। ଗୁରୁବାର ସନ୍ଧ୍ୟା‌ ପ୍ରାୟ ୭ଟା ସମୟରେ ଦେଓଗାଁରୁ ତେଲି ସମାଜର ସେଲମା ବଂଶରୁ ମଶାଲ ଯିବା ପରେ ଜରାସିଂହା ପାଟଖଣ୍ଡା ମନ୍ଦିରରେ ଅପେକ୍ଷା କରିଥିବା ଦେହେରୀମାନେ ପୂଜା ପାଇଁ ସଜବାଜ କରିଥିଲେ। ପ୍ରସ୍ତୁତ ହେବା ପରେ ଜରାସିଂହାର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀଆଈ ମନ୍ଦିରରେ ପାଟଖଣ୍ଡା ଦେବୀଙ୍କ ସମସ୍ତ ଦେହେରିଆ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପୂଜା ବୁଢ଼ୀଆଈ ଦେବୀଙ୍କ ମୁଖ୍ୟ ପୂଜକ ଉଜ୍ବଳ ଝାଙ୍କର ପୂଜା କରିଥିଲେ। ଏହି ସମୟରେ ଜେନା ବୁଢ଼ା ଓ ବରୁପାନୀ ଦେବୀଙ୍କ ମୁଖ୍ୟ ବରୁଆମାନେ ମଧ୍ୟ ଉପସ୍ଥିତ ଥିଲେ। ପୂଜା ପରେ ପାଟଖଣ୍ଡା ଦେବୀଙ୍କ ମୁଖ୍ୟ ବରୁଆ ସନ୍ତୋଷ ଥନାପତିଙ୍କ ବାସଭବନକୁ ଯାଇ ପାଟଖଣ୍ଡା ଯାତ୍ରା ପାଇଁ ବରଣ କରାଯାଇ ପାଟଖଣ୍ଡା ମନ୍ଦିରକୁ ଅଣା ଯାଇଥିଲା। ତା ପରେ ୨୦୨୦ ପାଟଖଣ୍ଡା ଯାତ୍ରାର ୧୬ ପୂଜା ଆରମ୍ଭ ହୋଇଥିଲା। ଆସନ୍ତା ମାସେ ପର୍ଯ୍ୟନ୍ତ ମଳ ମାସ ଥିବାରୁ ଏହି ପୂଜା ବନ୍ଦ ରହିବ। ୨ୟ ଅଶ୍ବନୀ ମାସର ଶୁକ୍ଳ ପକ୍ଷ ଆରମ୍ଭରୁ ପ୍ରତିଦିନ ଦେଓଗାଁରୁ ମଶାଲ ଗଲାପରେ ପୂଜା ଆରମ୍ଭ ହେବ। ଚଳିତ ବର୍ଷ ବିଭିନ୍ନ ଧର୍ମାନୁଷ୍ଠାନ, ପର୍ବ ପର୍ବାଣୀରେ କୋଭିଡ଼ ୧୯ ନିୟମ ଲାଗିଥିବାରୁ ପୂଜାଗୁଡ଼ିକ ନିୟମ ଅନୁସାରେ କରାଯାଉଛି ଓ ଆଗାମୀ ଦିନରେ ମଧ୍ୟ କରାଯିବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.