କୁମ୍ଭକର୍ଣ୍ଣ ନିଦ୍ରାରେ ଜିଲ୍ଲା ପ୍ରଶାସନ : ବକେୟା ପାଉଣା ପାଇଁ ହଟହଟା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ସମଗ୍ର ପୃଥିବୀକୁ କରୋନା ଗ୍ରାସର ସୂଚନା ପାଇଲା କ୍ଷଣି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ପରତାକୁ ଆଖି ଆଗରେ ରଖି ଓଡିଶାର ପ୍ରାୟତଃ ସମସ୍ତ ସ୍କୁଲମାନଙ୍କରେ ପ୍ରବାସୀ ଓଡିଆ ତଥା କୋଭିଡ-୧୯ରେ ସଂକ୍ରମିତ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ କୋଭିଡ-୧୯ ସଙ୍ଗରୋଧ କେନ୍ଦ୍ରମାନ ଖୋଲା ଯାଇଥିଲା ।

ସଂକ୍ରମିତଙ୍କ କୌଣସି ଅସୁବିଧା ଯେମିତି ନହେବ ସେ ବିଷୟରେ ସତର୍କତା ଅବଲମ୍ବନ କରି ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ସହ ଆଶ୍ରିତ କୋଠରୀମାନଙ୍କୁ ବିଦ୍ୟୁତିକରଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ହେଲେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲଠାରେ ଏପ୍ରିଲ ତିନି ତାରିଖରେ ପାଇକମାଲ ଗ୍ରାମପଂଚାୟତର କାର୍ୟ୍ୟରତ କାର୍ୟ୍ୟନିର୍ବାହୀ ଅଧିକାରୀ ସବିତା ଚରଣ ସାହାଙ୍କ ଅନୁରୋଧ କ୍ରମେ ନିର୍ଦ୍ଧାରିତ ସରକାରୀ ଉଚିତ ପାରିଶ୍ରମିକ ପ୍ରଦାନ କରାଯିବ ବୋଲି ସ୍ଥାନୀୟ ପାଇକମାଲ ସ୍ଥିତ ଇଲେକ୍‌ଟ୍ରିସିଆନ୍‌ ଟିକଚନ୍ଦ୍ର ସାହୁଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ । ତାଙ୍କ ନିର୍ଭର ପ୍ରତିଶୃତି ଓ ଅନୁରୋଧକୁ ସମ୍ମାନ ଜଣାଇ ଇଲେଟ୍ରିସିଆନ ତାଙ୍କ ସହଯୋଗୀମାନଙ୍କୁ ଧରି ପାଇକମାଲ ସ୍ଥିତ ଦୁଇଟି ଯାକ ସଙ୍ଗରୋଧକୁ କାର୍ୟ୍ୟକାରୀ କରାଇବା ସହ ବହୁବିଧ କର୍ମଚାରୀ ରୂପେ ମଧ୍ୟ ଇଲେକ୍‌ଟ୍ରିସିଆନ୍‌ ଶ୍ରୀ ସାହୁ ତାଙ୍କ କାର୍ୟ୍ୟ ସୁଚାରୁ ରୂପେ ସଂପାଦିତ କରିପାରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟଏହି କି ଯେ, ଦୀର୍ଘ ୬ ମାସ ହୋଇଯିବ ସରକାରୀ ମୂଲ୍ୟ’ତ ଦୂରର କଥା ଆଜି ଯାଏଁ ସଠିକ ବିଲ୍ ପାଇ ପାରିନାହାନ୍ତି ।

ଏ ସମ୍ପର୍କରେ ଇଲେକ୍‌ଟ୍ରିସିଆନ୍‌ ସଠିକ ବିଲ୍ ନ ପାଇବା ଫଳରେ ଅନେକ ଥର କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ହାରି ଗୁହାରୀ କଲେ ମଧ୍ୟ ଅନେକ ବାହାନା ଦେଖାଇବା ଯୋଗୁଁ ବାଧ୍ୟ ହୋଇ ସ୍ଥାନୀୟ ସରପଂଚ ଧବଳେଶ୍ୱର ସାହୁ, ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟରଂଜନ ସିଂ ବରିହା, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ମେହେର, ପାଇକମାଲ ଉପ-ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭୀଷ୍ମଦେବ ମାଝି, ପଂଚାୟତରାଜ ବିଭାଗ ଓଡିଶା ରାଜେଶ ପାଟିଲ୍, ସ୍ୱତନ୍ତ୍ର ରିଲିଫ କମିସନର ଓଡିଶା ପ୍ରଦୀପ ଜେନା ଏବଂ ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଦ୍ୟାବଧି ସମ୍ପୂର୍ଣ୍ଣ ବିଲ୍ ନ ପାଇ ଇଲେକ୍‌ଟ୍ରିସିଆନ୍‌ ଏଣେତେଣେ ଘୁରି ବୁଲୁଛନ୍ତି । ବିଦ୍ୟୁତିକରଣ ଓ ଜଳ ଯୋଗାଣ ଦୁଇଟି ସଙ୍ଗରୋଧ କେନ୍ଦ୍ରର ବିଲ୍ ବାବଦରେ ୧୮ ହଜାର ଟଙ୍କା ଏବଂ ବହୁବିଧ କର୍ମଚାରୀ ଭାବେ କାର୍ୟ୍ୟରତ ୮୦ ଦିନର ବାବଦକୁ(ସରକାରୀ ନିର୍ଧାରିତ ଅର୍ଥ ରାଶି)ସର୍ବନିମ୍ନ ଟ୨୪ ହଜାର ୨ଶତ ବାସ୍ତୋରୀ ଟଙ୍କା, ସମୁଦାୟ ଅର୍ଥ ରାଶି ୪୨ହଜାର ୨ଶହ ୭୨ଟଙ୍କା ମିଳିବା କଥାକୁ ହାରିଗୁହାରୀ ଶୁଣିବା ତ ଦୂର ର କଥା, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହି ନୀରବଦ୍ରଷ୍ଟା ସାଜିବା କେତେଦୂର ଯଥାର୍ଥ, ତାହା ୫-ଟି ସଚିବ ବିଚାର କରିବା ହେବେ ବୋଲି ଶ୍ରୀ ସାହୁ ଲିଖିତ ଭାବେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.