ତୁରେକେଲା ଚିତ୍ରଶିଳ୍ପୀ ସଂଘର ବୈଠକ : କାନ୍ଥ ଲେଖା ଯୋଗାଇବାରେ ପ୍ରଶାସନର ପାତର ଅନ୍ତର ମନୋଭାବ ନେଇ ଅସନ୍ତୋଷ

ତୁରେକେଲା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବାଞ୍ଜିପାଲି ଗ୍ରାମ ଠାରେ ତୁରେକେଲା ବ୍ଲକ ସିଦ୍ଧି ବିନାୟକ ଚିତ୍ରଶିଳ୍ପୀ ସଂଘର ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ସଂଘ ସଭାପତି ଡମ୍ବରୁଧର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷା ପାଇଁ ଲୋକଙ୍କୁ ସଂଘ ପକ୍ଷରୁ ସଚେତନତା କରାଯାଉଥିବା ସଂପର୍କରେ ଆଲୋଚନା ହୋଇଥିଲା । କରୋନା ସଚେତନତା ପାଇଁ ଚିତ୍ରଶିଳ୍ପୀ ସଂଘ ପକ୍ଷରୁ ନିଜସ୍ୱ ପାଣ୍ଠିରୁ ତୁରେକେଲା ବ୍ଲକର ପ୍ରତ୍ୟେକ ପଂଚାୟତର ବିଭିନ୍ନ ଗ୍ରାମରେ କାନ୍ଥଲେଖା ଚିତ୍ରଣ କରାଯାଇ ସଚେତନତା ବାର୍ତ୍ତା ଦିଆଯାଇଥିଲା । ଲକଡାଉନ ଯୋଗୁଁ ଚିତ୍ରଶିଳ୍ପୀମାନେ ରୋଜଗାରଶୂନ୍ୟ ହୋଇ ମଧ୍ୟ ନିଜସ୍ୱ ଉଦ୍ୟମରେ କାନ୍ଥଲେଖା ମାଧ୍ୟମରେ ସଚେତନ କରି ଅଂଚଳରେ ପ୍ରଶଂସନୀୟ ହୋଇ ପାରିଥିଲେ । ଲକଡାଉନ ଯୋଗୁଁ ଚିତ୍ରଶିଳ୍ପୀମାନେ ରୋଜଗାର ହରାଇଥିବାରୁ ପରିବାର ପ୍ରତିପୋଷଣ କରିବାରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ରୋଜଗାର ଯୋଗାଇ ଦେବା ପାଇଁ ପୂର୍ବରୁ ବ୍ଲକର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଲକଡାଉନର ୪ ମାସ ପରେ ମଧ୍ୟ ତାଙ୍କୁ ପେଣ୍ଟିଂ କାର୍ଯ୍ୟ ମିଳି ପାରିନାହିଁ । କିନ୍ତୁ ଅନ୍ୟାନ୍ୟ ଅଂଚଳର ଲୋକଙ୍କୁ ବ୍ଲକ ପକ୍ଷରୁ କାନ୍ଥ ଲେଖା ପାଇଁ ନିୟୋଜିତ କରାଯାଇଛି । ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ପେଣ୍ଟିଂ କାର୍ଯ୍ୟ ଯୋଗାଇବାରେ ପାତର ଅନ୍ତର କରାଯାଇଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ବ୍ଲକର ବିଭିନ୍ନ ସଚେତନତା, କାନ୍ଥଲେଖା, ସୂଚନାଫଳକ, ବିଜ୍ଞାପନ ପାଇଁ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ପ୍ରଶାସନ ଯୋଗାଇ ଦେବା ପାଇଁ ବୈଠକରେ ଦାବୀ ହୋଇଥିଲା । ଏହି ବୈଠକରେ ସଭାପତି ଶ୍ରୀ କୁଅଁର, ଉପସଭାପତି ସୁରେଶ କୁଅଁର, ସଂପାଦକ ଅରୁଣ ସମରତ, ସହସଂପାଦକ ମେଘନାଥ ନାଏକ, କୋଷାଧ୍ୟକ୍ଷ ଦାଶରଥୀ ବଚ୍ଛା, ଭକ୍ତବନ୍ଧୁ ମେହେର, ତୁଲଧ୍ୱଜ ମାଝୀ, ଯୋଗେଶ ମାଝୀ, କ୍ଷେତ୍ର ମାଝୀ, ଲକ୍ଷ୍ମୀକାନ୍ତ ସରାଫ, ସୁବିନ ନାଗ, ଭୋଲାନାଥ ସଗ୍ରିଆ, ଋତୁରାଜଙ୍କ ସହ ସଂଘର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.