ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା : ଡ଼ାକ୍ତରୀ ସରଞ୍ଜାମ ଓ ଉପକରଣ ଯୋଗାଇବ ଓଡ଼ିଶା ଔଷଧ ନିଗମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍‌ ପରିଚାଳନା ନିମନ୍ତେ ଆବଶ୍ୟକ ଡ଼ାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ ଡ଼ାକ୍ତରୀ ସରଞ୍ଜାମ ଓ ଉପକରଣ ଜାତୀୟ ଓ ଅନ୍ତଜାତୀୟ ସ୍ତରରେ ସଂଗ୍ରହ କରିବା ପାଇଁ ଆବଶ୍ୟକୀୟ ବୈଷୟକ ଯୋଗ୍ୟତା, ଅନୁଭୂତି ରହିଛି । ତେଣୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶ କ୍ରମେ ସମସ୍ତେ ଜିଲ୍ଲାପାଳଙ୍କୁ ଏସବୁ ସାମଗ୍ରୀ ନିଗମ ମାଧ୍ୟମରେ ଯୋଗାଇ ଦେବା ପାଇଁ ଜଣାଇ ଦିଆଯାଇଛି । ଏହା ବ୍ୟତୀତ ଆବଶ୍ୟକୀୟ ସିଭିଲ୍‌ ଓ ବିଦ୍ୟୁତିକରଣ କାମ, ଆଇସିୟୁ ଶଯ୍ୟା, ଅମ୍ଲଜାନ ପାଇପଲାଇନ୍‌, ଡିଜି ସେଟ୍‌ ଇତ୍ୟାଦି ଡ଼ାକ୍ତରୀ ଓ ଅଣଡ଼ାକ୍ତରୀ ସରଞ୍ଜାମ ପାଇଁ ଜିଲ୍ଲାପାଳ ମାନେ ସିଧାସଳଖ ସ୍ଥାନୀୟ ବ୍ୟବସ୍ଥା ଅନୁସାରେ ଯୋଗାଡ଼ କରିବେ । ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଉପଯୁକ୍ତ କୋଭିଡ଼ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଜରୁରୀ ସରଞ୍ଜାମ ସଂଗ୍ରହ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କିଛିଦିନ ପୂର୍ବରୁ ୨୫ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିଲା । ଜିଲ୍ଲାଗୁଡ଼ିକ ତରଫରୁ ଏଥିପାଇଁ ଯଥା ଶୀଘ୍ର ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏଥିପାଇଁ ଜିଲ୍ଲାପାଳ ମାନଙ୍କ ସହ ପରାମର୍ଶ କରାଯାଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ଏହି ପ୍ରସ୍ତାବ ଗୁଡ଼ିକ ହସ୍ତଗତ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ବ୍ୟାପକ ବିଚାରବିମର୍ଶ ପରେ ପ୍ରସ୍ତାବ ଗୁଡ଼ିକୁ ଅନୁମୋଦନ କରିବା ସହ ଜରୁରୀ ସାମଗ୍ରୀ ସଂଗ୍ରହ ପାଇଁ ସବୁଜ ସଂଙ୍କେତ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

1 + nineteen =

error: Content is protected !!