
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମୁଣ୍ଢେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍ସ ନୂଆଦିଲ୍ଲୀର ଡାକ୍ତର ସଞ୍ଜୀବ ଭୋଇ ଉପସ୍ଥିତ ରହି ବିଦ୍ୟାଳୟର ୬୦ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଶିବିରରେ ଛାତ୍ରଛାତ୍ରୀଙ୍କ ସାଧାରଣ ସ୍ୱାସ୍ଥ୍ୟ, ଉଚ୍ଚତା, ଓଜନ, ପୌଷ୍ଟିକ ସ୍ଥିତି ଓ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ଯାଞ୍ଚ କରାଯାଇଥିଲା । ଡାକ୍ତର ଭୋଇ ଛାତ୍ରଛାତ୍ରୀମାନଙ୍କୁ ସୁସ୍ଥ ଜୀବନଶୈଳୀ, ସ୍ୱଚ୍ଛତା ଅବଲମ୍ବନ ଏବଂ ପୌଷ୍ଟିକ ଖାଦ୍ୟ ଗ୍ରହଣର ଗୁରୁତ୍ୱ ସମ୍ପର୍କରେ ପରାମର୍ଶ ଦେଇଥିଲେ । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ମାଧ୍ୟମରେ ଶିଶୁମାନଙ୍କ ଶାରୀରିକ ଓ ମାନସିକ ବିକାଶ ସୁନିଶ୍ଚିତ ହୋଇପାରିବ ବୋଲି ସେ କହିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରିବାରେ ନିମାଇଁ ଚରଣ ସ୍ୱାଇଁ, ପୁଷ୍ପାଞ୍ଜଳି ଡୁଙ୍ଗୁରୀ, ଦୀପା ରଣା ଏବଂ ଯୁଗଳ କିଶୋର ସ୍ୱାଇଁ ସକ୍ରିୟ ସହଯୋଗ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଡାକ୍ତର ସଞ୍ଜୀବ ଭୋଇଙ୍କୁ ଏଭଳି ଜନହିତକର ପଦକ୍ଷେପ ପାଇଁ କୃତଜ୍ଞତା ଜଣାଯାଇଥିଲା । ଏପରି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ସହ ସେମାନଙ୍କ ସୁସ୍ଥ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି ଅଭିଭାବକ ଓ ଶିକ୍ଷକମାନେ ମତ ପ୍ରକାଶ କରିଥିଲେ ।

