ସରକାର ଯୋଗାଉଛନ୍ତି ମାଗଣାରେ ବହି, ପରିବହନ ଖର୍ଚ୍ଚ ଦେଉଛନ୍ତି ଛାତ୍ରଛାତ୍ରୀ : ଅଭିଭାବକ ମହଲରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ବର୍ଷ ବର୍ଷ ଧରି ସରକାର ବିଭିନ୍ନ ଯୋଜନାକାର୍ଯ୍ୟକାରୀ କରିଛନ୍ତି । ତନ୍‌ ମଧ୍ୟରେ ସ୍ଵତନ୍ତ୍ର ସ୍କୁଲ୍, ମାଗଣାରେ ପୁସ୍ତକ, ପୋଷାକ ସହ ଷ୍ଟାଇଫେଣ୍ଟ ବାବଦରେ ଅଧିକ ସହଯୋଗ ମଧ୍ୟ ସରକାର କରୁଛନ୍ତି । ହେଲେ କିଛି ଶିକ୍ଷକ ଏହି ଯୋଜନାକୁ ବାଟବଣା କରିବା ସହ ବେପରୁଆ ମନୋଭାବ ଯୋଗୁଁ ଗରିବ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏକ ଅଭିଯୋଗ ସହ ସୋସିଆଲ୍ ମିଡିଆରେ ପାଠ୍ୟ ପୁସ୍ତକ ପ୍ରଦାନ ହେବା ବାବଦରେ ଅବିଭାବକଙ୍କ ଠାରୁ ଟଙ୍କା ନେଉଥିବା ଭିଡ଼ିଓ ଘୁରି ବୁଲୁଥିବା ଦେଖାଯାଇଛି । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖାଯାଇଛି ଦେଓଗାଁ ପଞ୍ଚାୟତ ସମିତି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ । ଏହି ସ୍କୁଲର ଜଣେ ଛାତ୍ରୀଙ୍କ ଅଭିବାବକ ଅଭିଯୋଗ କରିଛନ୍ତି ଯେ, ସୁଲସ୍କୁଲକୁ ସରକାର ଦେଉଥିବା ମାଗଣା ପାଠ ପୁସ୍ତକ ଆଣିବାକୁ ଯାଇଥିଲେ । ପୁସ୍ତକ ଦେବା ଦାୟିତ୍‌ତ୍ୱରେ ଥିବା ଦୁଇ ଜଣ ଶିକ୍ଷକ ୩୦ ଟଙ୍କା ଦାବୀ କରିଥିଲେ । ସରକାର ମାଗଣାରେ ଯୋଗାଇ ଦେଉଥିବା ବେଳେ କାହିଁକି ପଇସା ଦେବେ ବୋଲି ପଚାରିବାକୁ ବଲାଙ୍ଗିରରୁ ବହି ଗୁଡ଼ିକୁ ଅଣାଯିବା ବାବଦରେ ଟଙ୍କା ଅସୁଲି କରାଯାଉଛି ବୋଲି କହିଥିଲେ । ଗୋଟିଏ ସେଟ୍‌ ପୁସ୍ତକ ପରିବହନ ପାଇଁ ୩୦ ଟଙ୍କା ହେଲେ, ସ୍କୁଲର ସମସ୍ତ ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରୀମାନଙ୍କ ପାଇଁ ସମୁଦାୟ ପରିବହନ ବାବଦରେ କେତେ ଟଙ୍କା ଆଦାୟ ଆଦାୟ ହୋଇଥିବ ବୋଲି ପ୍ରଶ୍ନ ଉଠୁଛି ।

ଅବିଭାବକଙ୍କ ଅସନ୍ତୋଷ ବିଷୟରେ ଜାଣିବା ପରେ ସ୍କୁଲର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାହୁଙ୍କୁ ପଚାରିବାରୁ ଏହି ଘଟଣା ବିଷୟରେ ମୁଁ କିଛି ଜାଣି ନାହିଁ ବୋଲି କହିଛନ୍ତି । ସେହିପରି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ପୁସ୍ତକ ପରିବହନ ବାବଦରେ ୧୦ରୁ ୧୫ଟଙ୍କା ଆଦାୟ କରିବା ପାଇଁ କୁହାଯାଇଛି ବୋଲି କହିଛନ୍ତି । ଯଦି ପ୍ରଧାନ ଶିକ୍ଷୟତ୍ରୀଙ୍କ କହିବା ଅନୁସାରେ ଅବିଭାବକମାନଙ୍କଠାରୁ ଟଙ୍କା ଆଦାୟ ହେଲା, ତାହାହେଲେ ଏକ ରିସିପ୍ଟର ବ୍ୟବସ୍ଥା କରିବା ଉଚିତ ଥିଲା ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି । ସରକାର ମାଗଣାରେ ଯୋଗାଉଥିବା ପୁସ୍ତକକୁ ପରିବହନ ଆଳରେ ପ୍ରତି ଛାତ୍ରଛାତ୍ରୀଙ୍କ ଠାରୁ ୩୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ନେଇ ଅଞ୍ଚଳର ଶିକ୍ଷାବିତ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି । ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ବେପରୁଆ ମନୋଭାବ ରଖୁଥିବା ବ୍ୟକ୍ତିଙ୍କ ଉପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷାପ୍ରେମୀ ମହଲରେ ଦାବୀ ହେଉଛି।

Leave A Reply

Your email address will not be published.