
- ବଲାଙ୍ଗିରରେ ଶୋକର ଛାୟା
- ବଲାଙ୍ଗିରକୁ ହୃଦ୍ରୋଗ ବିଶେଷଜ୍ଞ ନିଯୁକ୍ତି ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ପାଇଁ ଗତ ତିନି ଚାରି ଦିନ ତଳେ ଅତ୍ୟନ୍ତ ଦୁଃଖଦାୟକ ଏବଂ ଆଘାତପୂର୍ଣ୍ଣ ଘଟଣା ଘଟିଛି । ସହରର ଦୁଇ ଜଣ ପ୍ରମୁଖ ତଥା ଜଣାଶୁଣା ବ୍ୟକ୍ତିତ୍ୱଙ୍କର ହୃଦଘାତ ଯୋଗୁଁ ଆକସ୍ମିକ ବିୟୋଗ ହୋଇଛି । ପ୍ରଥମେ ସହରର ବରିଷ୍ଠ ଆଇନଜୀବୀ ଏଡ୍ଭୋକେଟ ଗୋବିନ୍ଦ ବେହେରା ଏବଂ ତା’ ପରଦିନ ସହରର ସୁପରିଚିତ ଚେହେରା ତଥା ସମାଜସେବୀ ଶିବ ନାରାୟଣ ରଥଙ୍କ ପରଲୋକ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଦୁଇ ପ୍ରତିଭାଙ୍କ ଅକାଳ ବିୟୋଗ ବଲାଙ୍ଗିର ପାଇଁ ଏକ ଅପୂରଣୀୟ କ୍ଷତି । ବଲାଙ୍ଗିରର ଏହି ଦୁଇ ଜଣାଶୁଣା ବ୍ୟକ୍ତିଙ୍କ ବିୟୋଗ ବଲାଙ୍ଗିରବାସୀଙ୍କୁ ଏକ ବଡ଼ ଚେତାବନୀ ଦେଇଯାଇଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ରହିଛି । ମାତ୍ର ଏଠାରେ ହୃଦ୍ରୋଗ ବିଶେଷଜ୍ଞ ନାହାନ୍ତି । ଏଣୁ ଲୋକେ ତୁରନ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଏଣୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍ରେ ତୁରନ୍ତ ହୃଦ୍ରୋଗ ବିଶେଷଜ୍ଞ ନିଯୁକ୍ତି ଦାବି ହେଉଛି ।